ଓଏମଜି ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହେଲେ ହିଞ୍ଜିଳିକାଟୁର ଏ. ଚନ୍ଦ୍ରଶେଖର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ):ପେଶାରେ ଜଣେ ସରକାରୀ କର୍ମଚାରୀ । ହେଳେ ଦେଶ ବିଦେଶର ମୁଦ୍ରା ସଂଗ୍ରହ କରିବା ହେଉଛି ତାଙ୍କରି ନିଶା । ଗଞ୍ଜାମ ଜିଲ୍ଲା ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଏ. ଚନ୍ଦ୍ରଶେଖର ସରାବଙ୍କ ଏଭଳି ନିଶା ପାଇଁ ସେ ଓଏମଜି ବୁକ୍ ଅଫ୍ ରେକର୍ଡସର ଅଧିକରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଓଏମଜି ବୁକ୍ ଅଫ୍ ରେକର୍ଡସରେସେ ବିଦେଶୀ ମୁଦ୍ରା ସଂଗ୍ରହରେ ପ୍ରଥମ ଓଡିଆ ଭାବେ ସ୍ଥାନିତ ହୋଇଛନ୍ତି । ସେ ବିଭିନ୍ନ ୩୦୦ ଦେଶର ମୁଦ୍ରା ସଂଗ୍ରହ କରି ଏହି ସଫଳତା ଲାଭ କରିଛନ୍ତି । ଏହା ସହ ୫୦ରୁ ଉର୍ଦ୍ଧ୍ୱ ଦେଶର ଡାକଟିକଟ, ସ୍ୱାଧିନ ଭାରତର ପାଖାପାଖି ସମସ୍ତ ମୁଦ୍ରା ଓ ନୋଟ୍, ଇଂରାଜୀ ଓ ପର୍ତ୍ତୁଗୀଜ ଅମଳ ଭାରତର ବହୁ ମୁଦ୍ରା ଓ ଡାକଟିକଟ ସ୍ୱାଧିନ ଭାରତ ଗଡତାଜ ରାଜାଙ୍କ ରେଭେନ୍ୟୁ ଷ୍ଟାମ୍ପ, ଡାକଟିକଟ, କୋର୍ଟ ଫି ଷ୍ଟାମ୍ପ ସଂଗ୍ରହ କରି ସାଇତି ରଖିଛନ୍ତି । ଏ ସବୁ ସଂଗୃହୀତ ମୁଦ୍ରା ଓ ଡାକଟିକଟକୁ ଏକ ଘରୋଇ ସଂଗ୍ରାହଳୟରେ ରୂପ ଦେଇ ‘ଦି କଏନ୍ ୱାଲର୍ଡ’ ନାମରେ ନାମିତ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ଗ୍ରାୟତ୍ରୀନଗର ବାସିନ୍ଦା ଏ. ଚନ୍ଦ୍ରଶେଖରଙ୍କ ଏହି ନିଶା ୫ମ ଶ୍ରେଣୀରେ ଅଧ୍ୟୟନ କରିବା ଦିନରୁ ଆରମ୍ଭ ହୋଇଥିବା ନେଇ ସେ କହିଛନ୍ତି । ବର୍ତ୍ତମାନ ମଧ୍ୟ କାର୍ଯ୍ୟାଳୟରୁ ଫେରି ସମୟ ପାଇବା ମାତ୍ରେ ମୁଦ୍ରା ସଂଗ୍ରହ କାର୍ଯ୍ୟରେ ଲାଗି ପଡୁଛନ୍ତି । ରାତିରେ ଏହାକୁ ସାଇତି ସଜାଇ ରଖିଥାନ୍ତି । ଆଗାମୀ ଦିନରେ ସେ ଏହାକୁ ସର୍ବସାଧାରଣଙ୍କ ପାଇଁ ମୁଦ୍ରା ସଂଗ୍ରହାଳୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଜନସାଧାରଣ ଯେପରି ଦେଶବିଦେଶର ମୁଦ୍ରା ଓ ଡାକଟିକଟ ଉପରେ ଜ୍ଞାନ ଆହରଣ ସହବାହାର ଦେଶ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ, ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ।


