ଓଏସ୍‌ଆରଟିସିର ଘରୋଇକରଣ ଜନବିରୋଧୀ ଫଳରେ ବଢିବ ବସ୍ ଭଡ଼ା, ହନ୍ତସନ୍ତ ହେବେ ସାଧାରଣଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁର୍ନୀତି, ପରିଚାଳନାଗତ ଦକ୍ଷତାର ଅଭାବ, ଉତ୍ତର ଦାୟିତ୍ୱ ନ୍ୟସ୍ତ କରିବାର ବିଫଳତା ଓ ପ୍ରୀୟାପ୍ରୀତି ପୋଷଣ ଯୋଗୁ ସରକାରୀ ପରିବହନ ସଂସ୍ଥା (ଓଏସ୍‌ଆରଟିସି) କ୍ରମାଗତ କ୍ଷତିରେ ଚାଲୁଛି । ରୋଗ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ସରକାର ଏହିସବୁ ଦୁର୍ବଳତାକୁ ଦୂର ନକରି ଓଏସ୍‌ଆରଟିସିକୁ ଲିଜ୍‌ରେ ଦେବା ପାଇଁ ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଜନସାଧାରଣଙ୍କ ପାଇଁ ଭବିଷ୍ୟତରେ ବିପଦଜନକ ହୋଇ ଠିଆ ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ଅତୀତରେ ସରକାର ପରିବହନ କ୍ଷେତ୍ରକୁ ଘରୋଇକରଣ କରି ବିଭିନ୍ନ ସହରରେ ‘ମୋ ବସ୍‌’ ଚଳାଉଥିଲେ ସୁଦ୍ଧା ତାହା କ୍ଷତିରେ ଚାଲୁଛି । ଓଏସ୍‌ଆରଟିସିର ଅତୀତର ଘରୋଇକରଣ ଅଭିଜ୍ଞତା ମଧ୍ୟ ସରକାରଙ୍କର ଅଛି । ଏହା କେବେହେଲେ ଫଳପ୍ରଦ ହୋଇନାହଁ । ଘରୋଇ ବସ୍‌ମାଲିକମାନେ ଗୋଟିଏ ବସ୍ କିଣି ଚଳାଇବା ବେଳେ ବର୍ଷ ଦୁଇବର୍ଷ ପରେ ଆଉ ଦୁଇ ତିନୋଟି ବସ୍‌ର ମାଲିକ ହେଉଛନ୍ତି । କିନ୍ତୁ ଓଏସ୍‌ଆରଟିସି ଦିନକୁ ଦିନ କ୍ଷତି କରିବାରେ ଲାଗିଛି ଏବଂ ସରକାର ଏହି କ୍ଷତିକୁ ଭରଣା କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏବେ ଓଏସ୍‌ଆରଟିସିକୁ ଘରୋଇ ବ୍ୟକ୍ତିବିଶେଷ ବା ଘରୋଇ କମ୍ପାନୀକୁ ଲିଜ୍‌ରେ ଦେଲେ ସେମାନେ ନିଜର ଲାଭ ପାଇଁ ଅତ୍ୟଧିକ ଭଡ଼ା ବଢାଇବେ ଏବଂ ସାଧାରଣ ଲୋକଙ୍କୁ ଶୋଷଣ କରିବେ । ବସ୍ କର୍ମଚାରୀମାନଙ୍କର କୌଣସି ନିଯୁକ୍ତିଗତ ନିରାପତ୍ତା ମଧ୍ୟ ରହିବ ନାହିଁ । ଦିନକୁ ଦିନ କମ୍ପାନୀର ଲାଭ ପାଇଁ ବସ୍ ଭଡ଼ା ବଢିଚାଲିବ । ତେଣୁ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ସରକାର ଦୁର୍ନୀତି, ଅପାରଗତା ଦୂର କରି ଉତ୍ତରଦାୟିତ୍ୱ ନ୍ୟସ୍ତ କରି ନିଜେ ଓଏସ୍‌ଆରଟିସି ଚଳାଇବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ