ଓଟଙ୍କ ଡାକ୍ତରଖାନା
ଯେମିତି ମଣିଷଙ୍କ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନା ରହିଛି ଠିକ୍ ସେହିଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ମାତ୍ର କେବେ ଓଟଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତରଖାନା ଥିବା ଶୁଣିଛନ୍ତି କି ? ଆଜ୍ଞା ହଁ, ଦୁବାଇରେ ଓଟଙ୍କ ପାଇଁ ଏକ ବିଶେଷ ଡାକ୍ତରଖାନା ରହିଛି। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ’। ଏ ହେଉଛି ପୃଥିବୀର ଏହିଭଳି ଏକମାତ୍ର ଡାକ୍ତରଖାନା। ଏଠାରେ ବହୁ ଆଧୁନିକ ପଦ୍ଧତି ବ୍ୟବହାର କରାଯାଇଛି। ତେଣୁ ଏହାକୁ ନିର୍ମାଣ କରିବା ଲାଗି ୭୧ କୋଟି ଖର୍ଚ୍ଚ ହୋଇଥିଲା। ଏହା ଏବେ ସାରା ପୃଥିବୀରେ ଚର୍ଚ୍ଚିତ। ଏଠାରେ ଓମାନ୍ରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଂଯୁକ୍ତ ଆରବ ଏମିରେଟ୍ର ଓଟଙ୍କ ଚିକିତ୍ସା କରାଯାଏ। ଏଠାରେ ପ୍ରାୟତଃ ଓଟଙ୍କ ମାରାଥନ୍ରେ ଅଂଶଗ୍ରହଣ କରି ହାଡ଼ଭଙ୍ଗା ଓ କ୍ଷତବିକ୍ଷତ ହୋଇଥିବା ଓଟଙ୍କୁ ଚିକିତ୍ସା କରାଯାଇଥାଏ। ଅନେକ ସମୟରେ ଏଠାରେ ଅପରେଶନ ଥିଏଟରରେ ଓଟଙ୍କୁ ଓଲଟା ଝୁଲାଇ ଚିକିତ୍ସା କରାଯାଇଥାଏ। ହସ୍ପିଟାଲରେ ମୋଟ ୬୫ ଜଣ ମେଡିକାଲ ଷ୍ଟାଫ୍ ଅଛନ୍ତି। ଏଠି ବିଦେଶୀ ବିଶେଷଜ୍ଞଙ୍କ ଟିମ୍ ବି ଅଛନ୍ତି ଓ ଗୋଟିଏ ଥରରେ ୨୨ଟି ଓଟଙ୍କ ଚିକିତ୍ସା କରାଯାଇପାରେ। ତେବେ ଓଟଙ୍କ ଚିକିତ୍ସା ଖର୍ଚ୍ଚ ଏଠାରେ ବହୁତ ଅଧିକ। କେବଳ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ଏଠାରେ ଏକ ୫ ମିଟର ଉଚ୍ଚର ଏଣ୍ଡୋସ୍କୋପି ମେଶିନ ବି ଲଗାଯାଇଛି।


