ଓଟିଡିସି ପକ୍ଷରୁ ହେବ ରୋଷେଇ ପ୍ରତିଯୋଗିତା
ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାର ସହିତ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଘରେ ରହି ରୋଷେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଓଟିଡିସି ଅଧ୍ୟକ୍ଷା ଶ୍ରମୟୀ ମିଶ୍ର ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି।
ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଓଟିଡିସି ପକ୍ଷରୁ ଠିକ୍ ସମୟରେ ଏହି ଭଲ କାର୍ଯ୍ୟର ଆୟୋଜନ କରାଯାଇଛି। ଆମେ ନିଜ ଘରେ ପ୍ରତିଯୋଗୀ ଭାବେ ରୋଷେଇ କରିବା ସହିତ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାରରେ ସହାୟକ ହୋଇପାରିବା। ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ଦେଇ ନିଗମ ଅଧ୍ୟକ୍ଷା ମିଶ୍ର କହିଛନ୍ତି ଯେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ଲୋକଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିବା ନିମନ୍ତେ ଏକ ପ୍ଲାଟଫର୍ମ ଦେବାକୁ ଓଟିଡିସି ଏହି ପ୍ରତିଯୋଗିତା ଆୟୋଜନ କରୁଛି। ସୁସ୍ଥ ଓ ନିରୋଗ ରହିବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟ ସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେ କେହି ଭାଗ ନେଇପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ଅଧ୍ୟକ୍ଷା କହିଛନ୍ତି। ଓଟିଡିସି ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହିତ ପ୍ରସ୍ତୁତ କରୁଥିବା ଖାଦ୍ୟର ନାଁ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓଙ୍କୁ ହ୍ୱାଟସ୍ଆରପ୍ ନମ୍ବର ୮୨୬୦୬୩୮୩୩୧, ୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି www.otdcho@gmail.com ରେ ପଠାଇବାକୁ ପଡ଼ିବ। ଏଥିପାଇଁ ପଞ୍ଜିକରଣ କରିବାର ଶେଷ ତାରିଖ ଜୁନ୍ ୨୭ ତାରିଖ ରହିଛି। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତି ବେଳର ଭିଡିଓ ଓ ଖାଦ୍ୟ ମଧ୍ୟରୁ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କୁ ବିଚାରକମଣ୍ଡଳୀ ଚୟନ କରିବେ ଏବଂ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ। ଶ୍ରେଷ୍ଠ ୩ଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।


