ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ
ଗଞ୍ଜାମ, (ବିନୋଦ ପଲାଇ):ପଞ୍ଜାବର ମୋହାଲି ସ୍ଥିତ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଗୁରୁଦିବସ ଉତ୍ସବ ଅବସରରେ ଓଡ଼ିଆ ପ୍ରଫେସର ତଥା ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକଙ୍କ ତିନିଟି ପୁସ୍ତକ ଉନ୍ମୋଚିତ ହୋଇଛି। ପ୍ରଫେସର ଫକୀର ମୋହନ ଏବଂ ପ୍ରଫେସର କମଲଜିତ୍ କୌରଙ୍କ ଯୁଗ୍ମ ସମ୍ପାଦନାରେ ପ୍ରସ୍ତୁତ ଇଂରାଜୀ ପୁସ୍ତକ “ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍” ଉନ୍ମୋଚନ କରାଯାଇଛି। ଲିବରାଲ ଆର୍ଟସ୍ ଆଣ୍ଡ ହ୍ୟୁମାନିଟିସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଅନୁରାଗ ବର୍ମା, ସାମ୍ବାଦିକତା ଓ ଗଣଯୋଗାଯୋଗ ନିର୍ଦ୍ଦେଶକ ପ୍ରଫେସର ତ୍ରିଶୁ ଶର୍ମା, ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନର ନିର୍ଦ୍ଦେଶକ ପ୍ରଫେସର ଅସୀମା ବାଙ୍କର ଏବଂ ପ୍ରଫେସର ଆସିତା ଚଢା ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହା ସହିତ ପ୍ରଫେସର ଫକୀର ମୋହନ ନାହାକଙ୍କ ଦ୍ୱାରା ରଚିତ ଦୁଇଟି ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ “ସ୍ନେହଲତାର ଶେଷ ଚିଠି” ଏବଂ “ଅନ୍ଧଶ୍ରଦ୍ଧା” ମଧ୍ୟ ଉନ୍ମୋଚିତ ହୋଇଛି। ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍ ପୁସ୍ତକଟି ନୂଆଦିଲ୍ଲୀ ସ୍ଥିତ ମାଲିକ ଆଣ୍ଡ୍ ସନସ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ହୋଇଛି। ସେହିଭଳି ଅନ୍ଧଶ୍ରଦ୍ଧା ପୁସ୍ତକୁ ଭୁବନେଶ୍ୱରର ପଶ୍ଚିମା ପବ୍ଲିକେଶନ୍ ଏବଂ ସ୍ନେହଲତାର ଶେଷ ଚିଠି ପୁସ୍ତକକୁ ତୀରତରଙ୍ଗ ପବ୍ଲିକେଶନ୍ ପ୍ରକାଶ କରିଛନ୍ତି। ଏହି ଅବସରରେ ଆୟୋଜିତ ଅନ୍ୟ ଏକ ଉତ୍ସବରେ ପ୍ରଫେସର ଫକୀର ମୋହନ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ପ୍ରଦାନ କରାଯାଇଛି। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ସର୍ଦାର ସତନାମ ସିଂହ ସନ୍ଧୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଗଞ୍ଜମ ବ୍ଳକର ହରିପୁର ବୁରୁଡ଼ି ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମରେ କାମ କରିବା ପରେ ବର୍ତ୍ତମାନ ସାମ୍ବାଦିକତା ଶିକ୍ଷାରେ ଅଧ୍ୟାପନ କରୁଛନ୍ତି ।


