” ଓଡ଼ିଆ ଭାଷା ସାହିତ୍ୟରେ ଆଧୁନିକତା ର ସଂଗ୍ରାମ “

ଡକ୍ଟର ଅମୂଲ୍ୟ କୁମାର ପଣ୍ଡା
ଆମ ଓଡ଼ିଶାର ଓଡ଼ିଆ ନାଟକ କ୍ଷେତ୍ରରେ ନାଟ୍ୟକାରଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ପ୍ରଚେଷ୍ଟା ରହିଥିଲା। ସ୍ଵାଧୀନତା ପୂର୍ବରୁ ଓ ପରେ ଓଡ଼ିଆ ନାଟକ ରଚନା କ୍ଷେତ୍ରରେ କାଳୀଚରଣ ପଟ୍ଟନାୟକ, ରାମଚନ୍ଦ୍ର ମିଶ୍ର, ଗୋପାଳ ଛୋଟରାୟ, ଭ°ଜ କିଶୋର ପଟ୍ଟନାୟକ, କମଳ ଲୋଚନ ମହାନ୍ତି, ରଘୁନାଥ ପଣ୍ଡା, ଭୁବନେଶ୍ଵର ମହାପାତ୍ର ଓ କୃଷ୍ଣପ୍ରସାଦ ବେହେରା ପ୍ରମୁଖଙ୍କର ଅବଦାନ ଅନସ୍ଵୀକାର୍ଯ୍ୟ । କାଳୀଚରଣଙ୍କର ‘ଭାତ’, “ରକ୍ତମାଟି’, ‘ଅଭିଯାନ’, ରାମଚନ୍ଦ୍ର ମିଶ୍ରଙ୍କର ‘ ଭାଇ ଭାଉଜ’’, ‘ଘର ସଂସାର’, ଭ’ଜକିଶୋରଙ୍କର ‘ମାଣିକଯୋଡ଼ି’, ‘ଜୟ ମାଲ୍ୟ’, ଗୋପାଳ ଛୋଟରାୟଙ୍କର ‘ ଭରସା’, ‘ ପର କଲମ’ ଆଦି ନାଟକ ଏକଦା ଓଡ଼ିଶାର ରଙ୍ଗମଞ୍ଚମାନଙ୍କରେ ଚହଳ ପକାଇଥିଲା । ମନୋର”ଜନ ଦାସଙ୍କର ‘ ଆଗାମୀ’ ଓ ‘ସାଗର ମନୁନ’ ନାଟକ ପରେ ପରେ ଓଡ଼ିଆ ନାଟକର ହେଲା ପରିବର୍ତ୍ତନ । ପରେ ମନୋର°ଜନ ରଚନା କଲେ ‘ଆରଣ୍ୟ ଫସଲ’,’ ବନହଂସୀ’, ‘ଶବ୍ଦ ଲିପି’, ‘କାଠଘୋଡା’, ‘ନନ୍ଦିକାକେଶରୀ’, ପରି ନୂତନ ଶୈଳୀର ନାଟକ । ଏହି ନୂତନ ପ୍ରାୟୋଗିକ ଶୈଳୀକୁ ନେଇ ବିଶ୍ଵଜିତ୍ ଦାସ, ବିଜୟ ମିଶ୍ର, ରମେଶ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ନାଟକ ରଚନା କଲେ ।ସେହିପରି ଓଡ଼ିଆ ସାହିତ୍ୟରେ ଓଡ଼ିଆ ନାଟକ ସହିତ ଗଳ୍ପ, ଉପନ୍ୟାସ ମଧ୍ୟ ନୂତନ ନୂତନ ଏକ ନୂତନ ଅଧ୍ୟାୟ ନେଇ ଗତି କରିଥିଲା ଆଉ ତାହା ସହିତ ଓଡ଼ିଆ ପ୍ରବନ୍ଧ ଓ ରମ୍ୟ ରଚନାର ମଧ୍ୟ ବିକାଶ ହୋଇଥିଲା । କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାସ, ସଦାଶିବ ମିଶ୍ର, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ, ଶରତ କୁମାର ମହାନ୍ତି, ବାମାଚରଣ ମିତ୍ର, ପ୍ରମୁଖ ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ସ୍ଵାଧୀନତା ପରବର୍ତ୍ତୀ କାଳରେ ଆତ୍ମଚରିତ ରଚନା କରାଯିବାର ଗୋଟିଏ ନୂତନ ପ୍ରବଣତା ପ୍ରକାଶ ପାଇଅଛି । ପ୍ରାୟ ଶତାଧିକ ଆତ୍ମଚରିତ ଲେଖାଯାଇ ଏହି ବିଭାଗଟି ଓଡ଼ିଆ ସାହିତ୍ୟରେ ଏକ ସମ୍ମାନଜନକ ସ୍ଥାନ ଗ୍ରହଣ କରିଅଛି । ଭ୍ରମଣ କାହାଣୀ ବହୁ ସଂଖ୍ୟାରେ ରଚିତ ହୋଇ ଓଡ଼ିଆ ସାହିତ୍ୟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସ୍ଵାଧୀନତା ପୂର୍ବକାଳରୁ ସମାଲୋଚନା ଲେଖାଯାଇଥିଲେ ମଧ୍ୟ ସ୍ଵାଧୀନତା ପରବର୍ତ୍ତୀ କାଳରେ ସମାଲୋଚନାର ହୋଇଛି ଭୂୟୋବିକାଶ । ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ନରେନ୍ଦ୍ର ନାଥ ମିଶ୍ର, କୁଜବିହାରୀ ଦାଶ ପ୍ରମୁଖ ଓଡ଼ିଆ ସମାଲୋଚନା କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି । ପୂର୍ବରୁ ପଣ୍ଡିତ ବିନାୟକ ମିଶ୍ର ସମାଲୋଚନା ଲେଖିବା ସହିତ ଓଡ଼ିଆ ସାହିତ୍ୟର ଇତିହାସ ଲେଖିଥିଲେ । ପରେ ପରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା, ବଂଶୀଧର ମହାନ୍ତି ପ୍ରମୁଖ ଓଡ଼ିଆ ସାହିତ୍ୟର ଇତିହାସ ରଚନା କରିଅଛନ୍ତି । ଏହି ସମୟରେ ମଧ୍ୟ ଶିଶୁ ସାହିତ୍ୟର ହୋଇଛି ବିକାଶ । ବହୁ ସାହିତ୍ୟ ପତ୍ରିକା ଓ ସମ୍ବାଦପତ୍ର ପ୍ରକାଶ ପାଇ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରକାଶ ଓ ପ୍ରସାରରେ ପ୍ରେରଣାପ୍ରଦ ଭୂମିକା ନେଇଅଛି ।ଓଡ଼ିଆ ସାହିତ୍ୟର ଅତ୍ୟାଧୁନିକ ପର୍ବରେ ବ୍ୟକ୍ତି ସ୍ଵାତନ୍ତ୍ର୍ୟ, ଆତ୍ମଅନ୍ଵେଷା ଓ ବାମାବାଦ ବା ନାରୀବାଦ ବିଶେଷ ଗୁରୁତ୍ଵ ନେଇଅଛି । ଏହି ସମୟରେ ନାଟକ ଆଉ ଦର୍ଶକଙ୍କୁ ଆକର୍ଷଣ କଲା ନାହିଁ । ଏପରି ଅବସ୍ଥାରେ ଉତ୍ତର ଆଧୁନିକ ପର୍ବର ହେଲା ଉନ୍ମେଷ । ପରଂପରାନୁସନ୍ଧାନ ଓ ତାର ପୁନଃ ସଂସ୍ଥାନ, ଲୋକାନୁଷଙ୍ଗ ଓ ଲୋକାୟତ୍ତ ଚିନ୍ତାଧାରା ଗୁରୁତ୍ ଲାଭ କରି ସାହିତ୍ୟକୁ ପ୍ରଦାନ କଲା ନୂତନ ଜୀବନୀ ଶକ୍ତି । ଏବେ ଓଡ଼ିଆ ସାହିତ୍ୟ ଉତ୍ତର-ଆଧୁନିକ ପର୍ବରେ ଗତି କରି ଆପଣାର ମାଟି ଧରିବାକୁ ଚେଷ୍ଟା କରୁଛି । ଅତଏବ ଆଧୁନିକ ଓଡ଼ିଆ ସାହିତ୍ୟ ଦୀର୍ଘ ଧରି କେତେ ପରୀକ୍ଷା ନିରୀକ୍ଷା ଦେଇ ସଂଗ୍ରାମ ଜାରି ରଖିଛି ଯାହା ଆଉ ପଛକୁ ଫେରି ଚାହିଁ ନାହିଁ ବରଂ ଆଗକୁ ଆଗକୁ ତାହା ଗତି କରି ଚାଲିଛି । ଜାତୀୟ ସଂପର୍କ ପ୍ରତିଷ୍ଠା ସହିତ ଆନ୍ତର୍ଜାତିକ ସଂପର୍କ ପ୍ରତିଷ୍ଠା କରିବାରେ ସମର୍ଥ ହୋଇପାରିଛି । ସାହିତ୍ୟର ବିଭିନ୍ନ ବିଭାଗରେ ଓଡ଼ିଆ ସାହିତ୍ୟ ଯେ ସ୍ପଷ୍ଟ ମୁଦ୍ରାଙ୍କ ରଖିଛି ତାହା ପାଠକ ସହଜରେ ଉପଲବଧି କରିଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ