ଓଡ଼ିଶାକୁ ମାଡ଼ିଆସୁଛନ୍ତି ପଙ୍ଗପାଳ !

ଭୁବନେଶ୍ୱର: ସଂପ୍ରତି ସମଗ୍ର ଦେଶ ନୋଭେଲ କରୋନା ଭାଇରସ୍‌ ସହ ଯୁଝୁ ଥିବାବେଳେ ଏବେ ଦେଶ ସମ୍ମୁଖରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ । ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦେଶ ମଧ୍ୟକୁ ପ୍ରବେଶ କରିବା ପରେ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ହରିଆଣା ଓ ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇଯାଇଛି। ଆଉ ଏମାନଙ୍କର ଗତି ଯଦି ଏହିପରି ବିନା କୌଣସି ବାଧାବିଘ୍ନରେ ଅବ୍ୟାହତ ରହେ ତେବେ, ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ପାଇଁ ସେମାନଙ୍କୁ ବେଶୀଦିନ ଲାଗିବ ନାହିଁ। କାରଣ, ଏବେ ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ- ବିହାର ସୀମାନ୍ତ ପର୍ୟ୍ୟନ୍ତ ସମଗ୍ର ଆକାଶକୁ ଆଚ୍ଛାଦନ କରି ମାଡ଼ି ଆସୁଛନ୍ତି।
ତେବେ ପଙ୍ଗପାଳ ଆକ୍ରମଣ ଆଶଙ୍କା ନେଇ ଓଡ଼ିଶାରେ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଙ୍ଗପାଳ ସମ୍ପର୍କରେ ଓୟୁଏଟି ଡିନ ଲଳିତ ମୋହନ ଗଡ଼ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡ଼ିଶା ଇତିହାସରେର ପଙ୍ଗପାଳ କେବେ ଏଠାକୁ ଆସିନାହାନ୍ତି । ଚାଷୀମାନେ ଏଥିପାଇଁ ବିଚଳିତ ନହେବାକୁ ସେ କହିବା ସହ ପ୍ରତିଷେଧକଭାବେ ନିମ ତେଲ ଫସଲରେ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ ଭାରତରେ ଦେଖା ଦେଇଥିବା ଏହି ମରୁଭୂମି ପଙ୍ଗପାଳ ପୃଥିବୀର ସବୁଠାରୁ ବିନାଶକାରୀ କୀଟ ଭାବରେ ପରିଗଣିତ ହୋଇଥାଏ। ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଏବେ ପଙ୍ଗପାଳମାନଙ୍କ ଲାଗି ଏଭଳି ଆକ୍ରମଣର ତୀବ୍ରତାକୁ ଆହୁରି ଅଧିକ କରିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ସେମାନଙ୍କର ଆକ୍ରମଣ ବାରମ୍ବାର ଏବଂ ତୀବ୍ର ହେବାରେ ଲାଗିଛି।
ତେବେ, ସବୁଠାରୁ ଉଦ୍‌ବେଗଜନକ ହେଲା, ମରୁଭୂମିର ଭୟାନକ କୀଟ ଭାବେ ବିବେଚିତ ହେଉଥିବା ପଙ୍ଗପାଳ ଉଷ୍ମ ବାତାବରଣକୁ ଅଧିକ ମାତ୍ରାରେ ଆକୃଷ୍ଟ ହୋଇ ଥାଆନ୍ତି। ଏବେ ସହଜରେ ସମଗ୍ର ପଶ୍ଚିମ ଓଡ଼ିଶାକୁ ଗ୍ରୀଷ୍ମପ୍ରବାହ କବଳିତ କରିରଖିଛି। ବର୍ତ୍ତମାନ ଏହି ପଙ୍ଗପାଳ ଦଳ ମଧ୍ୟପ୍ରଦେଶ- ବିହାର ସୀମାରେ ପହଞ୍ଚି ଯାଇଥିବା ବେଳେ ସେଠାରୁ ଗ୍ରୀଷ୍ମ ପ୍ରବାହରେ ଆକୃଷ୍ଟ ହୋଇ ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପଶ୍ଚିମ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ଆଉ ଥରେ ଯଦି ଏମାନେ ପ୍ରବେଶ କରିଗଲେ ତେବେ ରାଜ୍ୟର ‘ଭାତହାଣ୍ଡି’ ରୂପେ ବିବେଚିତ ପଶ୍ଚିମ ଓଡ଼ିଶାର ସବୁଜିମା ଭରା ଶସ୍ୟ ଓ ପରିବା କ୍ଷେତ ସବୁକୁ ନିଜର ସର୍ବଗ୍ରସୀ କ୍ଷୁଧାରେ ଚଳୁ କରିଦେବା ପାଇଁ ଏମାନଙ୍କୁ ବେଶୀ ସମୟ ଲାଗିବ ନାହିଁ। ତେଣୁ, ରାଜ୍ୟ ସରକାର ଏଥିପ୍ରତି ଯଥେଷ୍ଟ ସତର୍କ ଓ ସାବଧାନ ରହିବାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ପଙ୍ଗପାଳ ଆଗକୁ ଓଡ଼ିଶାକୁ ଆସିବାର ସମ୍ଭାବନା ଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାୟ (ଓୟୁଏଟି) ଅଧୀନ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି । ପଙ୍ଗପାଳଙ୍କ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ଲାଗି ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।
କୁହାଯାଇଛି ଯେ ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିଲେ ଓଡ଼ିଶା ଜମିରେ ଥିବା ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବ ମଞ୍ଜି ଉଦ୍ଧୃତାଂଶ (ଏନଏସକେଇ) ର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଅପରାହ୍ନରେ ସିଞ୍ଚନ କରନ୍ତୁ । ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟ ବିଷକୁ ଏକ ପ୍ରତି ଏକ ଲିଟର ହିସାବରେ ୨୦୦ ଲିଟର ପାଣି ସହ ମିଶାଇ ଅପରାହ୍ନରେ ସିଞ୍ଚନ କରାଯାଇପାରେ । ପଙ୍ଗପାଳ ଦଳ ଫସଲ କିଆରିରେ ପହଞ୍ଚି ଯାଇଥିଲେ, ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡେ଼ଇ କଣ୍ଟାଯୁକ୍ତ ତାଳରେ ପିଟି ଘଉଡ଼ାଇବାର ବ୍ୟବସ୍ଥା କରନ୍ତଚୁ । ସଂଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ ଜରି ବିଛାଇ ଡାଳ ଗୁଡ଼ିକୁ ହଲାଇ ଦେଲେ, ସେମାନେ ଜରି ଉପରେ ଗଳି ପଡ଼ିବେ । ସେଗୁଡ଼ିକୁ ସଂଗ୍ରହ କରି କିରାସିନି ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ । ଏହା ବ୍ୟତୀତ କୀଟଗୁଡ଼ିକ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ଉପରୋକ୍ତ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ କିମ୍ବା ଏକର ପ୍ରତି ୪୦୦ ମିଲି ପ୍ରୋଫେନୋଫସ ୫୦ ଇସିକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ