ଓଡ଼ିଶାକୁ ୫ ଶହ କୋଟିର ସହାୟତା
ଭୁବନେଶ୍ୱର : ମହାବାତ୍ୟା ‘ଅମ୍ଫନ’ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବିତ୍ପାତ କରିଛି । ଏହାର ପ୍ରଭାବରେ ବହୁ ଘର ଦ୍ୱାର ଭାଙ୍ଗିଯିବା ସହ ଭିତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଆଜି କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷୟକ୍ଷତି ଆକଳନ ପରେ ଓଡ଼ିଶା ପାଇଁ ୫ ଶହ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟିର ସହାୟତା ରାଶି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।
ପଶ୍ଚିମବଙ୍ଗରେ ମହାବାତ୍ୟାଜନିତ କ୍ଷୟକ୍ଷତି ଆକଳନ କରିବା ପରେ ମୋଦି ଓଡ଼ିଶା ଆସିଥିଲେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଭାବେ ହେଲିକପ୍ଟରରେ ବାତ୍ୟାଂଚଳ ବୁଲି ଦେଖିଥିଲେ । ବାତ୍ୟାଂଚଳ ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରର ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ବାତ୍ୟା ମୁକାବିଲା ନେଇ ରାଜ୍ୟବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେଯେ, ଖୁବଶୀଘ୍ର ରାଜ୍ୟ ସରକାର କ୍ଷୟକ୍ଷତି ରିପୋର୍ଟ ପଠାଇବେ । ଏହାପରେ କେନ୍ଦ୍ରୀୟ ଟିମ ଆସି ଅନୁଧ୍ୟାନ କରିବେ । ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୋଦି କହିଥିଲେ ।


