ଓଡ଼ିଶାରେ ଚାଲିଚାଲି ଯିବେନି ଶ୍ରମିକ
ଭୁବନେଶ୍ୱର : ଏବେ ସାରା ଦେଶରେ ଶ୍ରମିକମାନେ ଅସହାୟ ଅବସ୍ଥାରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ବିପଦସଂକୁଳ ଭାବେ ଶ୍ରମିକମାନେ ଚାଲିଚାଲି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଓଡ଼ିଶା ମାଟିରେ ଶ୍ରମିକମାନେ ଚାଲିଚାଲି ଯିବେ ନାହିଁ ବୋଲି ନବୀନ କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ପୁଲିସ ଡିଜି ଅଭୟ କହିଛନ୍ତିଯେ, ଓଡ଼ିଶାରେ କୌଣସି ଶ୍ରମିକ ଚାଲିଚାଲି ଯିବେ ନାହିଁ । ସେମାନେ ଚାଲିଚାଲି ନଯାଇ ନିକଟସ୍ଥ ଥାନାରେ ଜଣାନ୍ତୁ । ସେମାନଙ୍କୁ ନେଇ ନିଜ ନିଜ ଅଂଚଳରେ ଛାଡ଼ିବାର ବ୍ୟବସ୍ଥା ରାଜ୍ୟ ସରକାର କରିବେ । ଖାଲି ଓଡ଼ିଆ ନୁହଁନ୍ତି ବରଂ ଅନ୍ୟ ରାଜ୍ୟକୁ ଯିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ନିଜ ରାଜ୍ୟ ସୀମାରେ ଛାଡ଼ିବାର ବି ବ୍ୟବସ୍ଥା କରାଯିବ । ସେମାନଙ୍କୁ ବାଟରେ ଖାଇବା ପିଇବା ମଧ୍ୟ ଦିଆଯିବ । ଏ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ । ଆଜି ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ନେବାର ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ।


