ଓଡ଼ିଶାରେ ବନ୍ଦର-ଭିତ୍ତିକ ଅବିବୃଦ୍ଧି ଲକ୍ଷ୍ୟ ସାକାର ରୂପ ନେଉଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ପୂର୍ବତଟରେ ବନ୍ଦର-ଭିତ୍ତିକ ଶିଳ୍ପାନ୍ୱୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଜନା ବର୍ତ୍ତମାନ ସାକାର ରୂପ ନେଉଛି । ପାରାଦ୍ୱୀପ ପୋର୍ଟ ସହିତ ଧାମରା ଏବଂ ଗୋପାଳପୁର ଗଭୀର ପୋର୍ଟ ର ଦୃତ ବିକାଶ ଏ ଦିଗରେ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବୈଠକରେ ଧାମରା ଏବଂ ଗୋପାଳପୁର ବନ୍ଦରର ଅଗ୍ରଗତି ଏବଂ ଧାମରାଠାରେ ବନ୍ଦର-ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ବନ୍ଦରର ବିକାଶ ଓ ସଂପ୍ରସାରଣ ସମ୍ବନ୍ଧିତ ସଦ୍ୟତନ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଧାମରା ପୋର୍ଟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ମହାପାତ୍ର ବନ୍ଦର ପାଖାପାଖି ସରକାରୀ ଜମିକୁ ଜବର ଦଖଲରୁ ମୁକ୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ଦର ପାଖାପାଖି ଶିଳ୍ପ ଉପଯୋଗୀ ସ୍ଥାନରେ ଜମି ଅଧିଗ୍ରହଣ କରି ଶିଳ୍ପାଞ୍ଚଳ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ବୈଠକରେ ଉପସ୍ଥିତ ଇଡକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂକୁ କହିଥିଲେ । ବର୍ତ୍ତମାନ ଧାମରା ପୋର୍ଟର ସଂପ୍ରସାରଣ, ରେଳଲାଇନ୍ ସଂଯୋଗ, ଏଲ୍.ଏନ୍.ଜି. ଟ୍ୟାଙ୍କ୍ ନିର୍ମାଣ, ଏୟାର ସ୍ଟ୍ରିପ୍ ବିକାଶ ଆଦି କାର୍ଯ୍ୟ ତ୍ଵରାନ୍ୱିତ ହୋଇଥିବାରୁ ଏଠାରେ ଏକ ବନ୍ଦର ଭିତ୍ତିକ ସହର ଏବଂ ଶିଳ୍ପାଞ୍ଚ ପ୍ରତିଷ୍ଠାର ସମ୍ଭାବନା ବୃଦ୍ଧି ପାଇଛି । ଏଥି ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ସହ ଉପଲବ୍ଧ ଜମିର ସୁରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର ଜଣାଇଥିଲେ ଯେ ୨୦୧୧ ମସିହାଠାରୁ ୨୦୨୦ ମସିହା ଭିତରେ ଧାମରା ବନ୍ଦରର ବର୍ଥ ସଂଙ୍ଖ୍ୟା ୨ ରୁ ୫ କୁ ବୃଦ୍ଧି ପାଇଛି । ଏହି ବନ୍ଦରରୁ ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ମଧ୍ୟ ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି । ୨୦୧୧ ମସିହାରେ ବନ୍ଦରର ବାର୍ଷିକ ଦ୍ରବ୍ୟ କାରବାର ୫ ନିୟୁତ ଟନ୍ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ପେବୃଆରୀ ଶେଷ ସୁଦ୍ଧା ଏହା ୨୯.୩୭ ନିୟୁତ ଟନ୍ ରେ ପହଞ୍ଚିଛି ; ଏବଂ, ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହା ୩୦.୫ ନିୟୁତ ଟନ୍ ଛୁଇଁବାର ଆଶା କରାଯାଉଛି । ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଜଣାଇଥିଲେ ଯେ ଏହି ସମୟ ମଧ୍ୟରେ ଧାମରା ବନ୍ଦର ରାଜ୍ୟ ସରକାରଙ୍କୁ ପ୍ରାୟ ୬୧୨ କୋଟି ଟଙ୍କାର ରାଜସ୍ୱ ଅଂଶ ଦେଇଛି । ମୁଖ୍ୟ ଶାସନ ସଚିବ ମଧ୍ୟ ଗୋପାଳପୁର ବନ୍ଦରର ଅଗ୍ରଗତି ବିଷୟ ସମୀକ୍ଷା କରିଥିଲେ । ୨୦୧୪ ମସିହା ହୁଡ୍ ହୁଡ୍ ବାତ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ଏହି ବନ୍ଦର ୨୦୧୫ ମସିହାରୁ ପୁନଶ୍ଚ କାରବାର ଆରମ୍ଭ କରିଛି । ଏହି ବନ୍ଦରର ରେଲୱେ ୟାର୍ଡ, ସାଇଡିଂ ଆଦିର କାର୍ଯ୍ୟ ତ୍ଵରାନ୍ୱିତ ହୋଇଛି । ବର୍ତ୍ତମାନ ଗୋପାଳପୁରର ବନ୍ଦର ବାର୍ଷିକ ୫ ନିୟୁତ ଟନ୍ ଦ୍ରବ୍ୟ ରପ୍ତାନୀ ଓ ଆମଦାନୀ କରି କାରବାରୀ ଲାଭ ସ୍ଥିତି ହାସଲ କରିଛି । ବନ୍ଦରକୁ ସଂଲଗ୍ନ କରୁଥିବା ରସ୍ତାର ପ୍ରାସ୍ତିକରଣ, ବନ୍ଦର ସଂପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି, ଧାମରାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା, ବନ୍ଦର ସହ ଅର୍ଥନୈତିକ କରିଡୋର ପ୍ରତିଷ୍ଠା, ପ୍ରାକୃତିକ ପରିବେଶର ସନ୍ତୁଳନ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇ ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର, ଇଡକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ଧାମରା ଓ ଗୋପାଳପୁର ପୋର୍ଟ କର୍ତ୍ତୁପକ୍ଷ, ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ