ଓଡ଼ିଶାର ପ୍ରଥମ ଲାଇବ୍ରେରୀ ‘କନିକା’, ଦୃଷ୍ଟିବାଧିତଙ୍କ ସାହା ଭରସା
କଟକ, (ଯୁଗାବ୍ଦ ନ୍ୟୁଜ):ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଲାଇବ୍ରେରୀକୁ ପସନ୍ଦ କରିଥାନ୍ତି । କାରଣ ଲାଇବ୍ରେରୀରେ ଆବଶ୍ୟକତା ଅନୁସାରେ ତଥ୍ୟ ମିଳିପାରେ। ବିଭିନ୍ନ ପ୍ରକାରର ବହି ସାଙ୍ଗକୁ ଭିନ୍ନ ଭିନ୍ନ ଲେଖକମାନଙ୍କ ବହି ବି ମିଳିଥାଏ । ଯେଉଁ କାରଣରୁ ଅନେକ ଛାତ୍ରଛାତ୍ରୀ ଲାଇବ୍ରେରୀରେ ଅଧ୍ୟୟନ କରି ଉପକୃତ ହୋଇଥାନ୍ତି । କୁହାଯାଏ, କନିକା ଲାଇବ୍ରେରୀ ହେଉଛି ରାଜ୍ୟର ସର୍ବ ପ୍ରଥମ ଲାଇବ୍ରେରୀ । ଯେତେବେଳେ ରେଭେନ୍ସା କଲେଜ ଥିଲା ସେତେବେଳେ ହିଁ ଏହା ନିର୍ମାଣ ହୋଇଥିଲା । କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ୧୯୨୨ ମସିହାରେ ୫୫ ହଜାର ଟଙ୍କା ଦେଇ ଏହି ପୁରାତନ ବିଲ୍ଡିଂ ନିର୍ମାଣ କରିଥିଲେ । କନିକା ଲାଇବ୍ରେରୀଠାରେ କିଛି ବହିପତ୍ର ରଖି ପ୍ରଥମେ ଏହି ଲାଇବ୍ରେରୀ ଆରମ୍ଭ କରାଯାଇଥିଲା । ଆଉ ସେବେଠାରୁ ଏହି ଲାଇବ୍ରେରୀ ଚାଲି ଆସୁଛି । ପ୍ରତ୍ୟକ ଦିନ ଲାଇବ୍ରେରୀରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ରେଭେନ୍ସାର ଐତିହ୍ୟକୁ ଦୃଷ୍ଟିରେ ରଖି ଏହି ଲାଇବ୍ରେରୀ ନିର୍ମାଣ କରାଯାଇଛି । ଜର୍ଣ୍ଣାଲ କ୍ଲବ ମଧ୍ୟ ଏହି ଠାରେ ଚାଲିଛି । ଏହାର ପରବର୍ତ୍ତୀ ସମୟରେ ଅର୍ଥାତ ରେଭେନ୍ସାକୁ ଯେତେବେଳେ ୧୦୦ ବର୍ଷ ପୂରଣ ହେଲା, ସେତେବେଳେ ଏହା ପାଖରେ ଗୋଟିଏ ସେଣ୍ଟିନାରୀ ଲାଇବ୍ରେରୀ ନିର୍ମାଣ କରାଗଲା । ଏହାପରେ ବିଭିନ୍ନ ସ୍ଥାନରୁ ଅନୁଦାନ ଆସିବା ପରେ ନିକଟରେ ଇ-ରିସୋର୍ସ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏବେ କନିକା ଲାଇବ୍ରେରୀ କହିଲେ ରେଭେନ୍ସା ନଲେଜ ସେଣ୍ଟର, ପୁରୁଣା କନିକା ଲାଇବ୍ରେରୀ, ସେଣ୍ଟିନାରୀ ଲାଇବ୍ରେରୀ ଏବଂ ଇ-ରିସୋର୍ସ ଲାଇବ୍ରେରୀକୁ ବୁଝାଯାଏ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସିପିଜିସି ଦାୟିତ୍ୱରେ ଥିବା ଡକ୍ଟର ଲୁନା ସାମନ୍ତ କହିଛନ୍ତି, “ଏହି ୩ ଟି ବିଲ୍ଡିଂରେ ଏବେ କନିକା ଲାଇବ୍ରେରୀ ଚାଲୁଛି । ଇ-ରିସୋର୍ସ ଲାଇବ୍ରେରୀରେ ସବୁଠାରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି ଇ-ରିସୋର୍ସ ଲାଇବ୍ରେରୀରେ ୨୦୦ଟି କମ୍ପ୍ୟୁଟର ରହିଛି । ଯେଉଁଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଇ-ରିସୋର୍ସ ବ୍ରାଉଜ କରିବା ସହ ବିଭିନ୍ନ ଜର୍ଣ୍ଣାଲ ବହି (ଇ-ବୁକ୍ସ ) ପଢିପାରୁଛନ୍ତି। ଏହାସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ସାହାଯ୍ୟରେ ଅନେକ ରିସର୍ଚ୍ଚ କାମ କରିପାରୁଛନ୍ତି । ବିଶେଷ କରି କମ୍ପ୍ୟୁଟର ସାଇନ୍ସ , ବାଇଲୋଜି, କେମେଷ୍ଟ୍ରି, ଷ୍ଟାଟେଷ୍ଟିକ୍ସ, ଗଣିତ , ଅର୍ଥନୀତି ଛାତ୍ରଛାତ୍ରୀମାନେ ଏହି ଲାଇବ୍ରେରୀରୁ ଉପକୃତ ହୋଇ ପାରୁଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଲାଇବ୍ରେରୀ ପ୍ରସ୍ତୁତ କରାଯାଇଛି। ଡକ୍ଟର ଲୁନା ସାମନ୍ତ ଆହୁରି କହିଛନ୍ତି, “ସେଣ୍ଟନାରୀ ଲାଇବ୍ରେରୀ ପଛକୁ ରହିଛି ଇ-ରିସୋର୍ସ ଲାଇବ୍ରେରୀ । ଏହା ୩ ମହଲା ବିଶିଷ୍ଟ ବିଲ୍ଡିଂ ହୋଇଥିବାବେଳେ ଗ୍ରାଉଣ୍ଡ ଫ୍ଲୋରରେ ମ୍ୟୁଜିକ ଲାଇବ୍ରେରୀ ରହିଛି । ଅକ୍ଷୟ ମହାନ୍ତିଙ୍କ ନାମରେ ଏହାକୁ ନାମିତ କରାଯାଇଛି । ଏହି ଲାଇବ୍ରେରୀରେ ଡେକ୍ସଟପ ରହିଛି । ଏଥିରେ ବିଭିନ୍ନ ପ୍ରକାର ମ୍ୟୁଜିକ ରଖାଯାଇଛି । ପାଖାପାଖି ୧ ଲକ୍ଷରୁ ଅଧିକ ସଙ୍ଗୀତ ଷ୍ଟୋର କରି ରଖାଯାଇଛି। ବିଭିନ୍ନ ଭାଷାରେ ସଙ୍ଗୀତ ଗୁଡିକ ରଖାଯାଇଛି । ଓଡ଼ିଆ, ବେଙ୍ଗଳା, ଉର୍ଦ୍ଦୁ, ଇଂରାଜୀ , ହିନ୍ଦୀ ଭାଷାରେ ସଙ୍ଗୀତ ଗୁଡିକ ରଖାଯାଇଛି । ସେହିପରି କ୍ଲାସିକାଲ, ସେମିକ୍ଲାସିକାଲ, କାରନାଟିକକୁ ଏଥିରେ ସ୍ଥାନିତ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ମ୍ୟୁଜିକ ଉପରେ ଗବେଷଣା କରୁଛନ୍ତି ସେମାନଙ୍କ ପାଇଁ ଏହା ବେଶ ସହାୟକ ହେଉଛି । ‘କେବଳ ରେଭେନ୍ସା ନୁହେଁ , ବାହାର କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାକୁ ଆସି ବିଭିନ୍ନ ପ୍ରକାର ମ୍ୟୁଜିକ ଉପରେ ଗବେଷଣା କରି ପାରୁଛନ୍ତି ଏବଂ ଏହାର ସୁବିଧା ନେଇ ପାରୁଛନ୍ତି। ସେହିପରି ଫାଷ୍ଟ ଫ୍ଲୋରରେ ୧୦୦ ଟି କମ୍ପ୍ୟୁଟର ରହିଛି। ଯେଉଁଥିରେ ବିଭିନ୍ନ ପ୍ରକାର ମାଗାଜିନ, ଅନଲାଇନ ମାଗାଜିନ ଓ ଉନ୍ନତମାନର ଜର୍ଣ୍ଣାଲ ସବସ୍କ୍ରାଇବ ହୋଇରହିଛି । ବିଭିନ୍ନ ନାମିଦାମୀ ପବ୍ଲିକେସନର ଜର୍ଣ୍ଣାଲ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ବିଶ୍ୱର ଅନେକ ଉନ୍ନତମାନର ଜର୍ଣ୍ଣାଲ ଲିଙ୍କକୁ ଆକ୍ସେସ କରି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ପାରୁଛନ୍ତି । ସେହିପରି ତୃତୀୟ ମହଲାରେ ଅତ୍ୟାଧୁନିକ କମ୍ପ୍ୟୁଟର ରହିଛି। ୧୦୦ ରୁ ଉର୍ଦ୍ଧ୍ବ ଆପେଲ କମ୍ପାନୀର କମ୍ପ୍ୟୁଟର ରହିଛି । ଯାହାକି ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଗବେଷଣା ପାଇଁ ବେଶ ସହାୟକ ହେଉଛି ।” ସେଣ୍ଟନାରୀ ଲାଇବ୍ରେରୀରେ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ପାଠ ପଢିବା ଏବଂ ଗବେଷଣା କରିବା ପାଇଁ ଅତ୍ୟାଧୁନିକ ପଦ୍ଧତିରେ ବହି ଖୋଜାଖୋଜି କରିବା ବ୍ୟବସ୍ଥା ରହିଛି । ଏଥିରେ ଛାତ୍ରଛାତ୍ରୀମାନେ ନିଜେ ଯାଇ ବହି ଥାକ ଗୁଡ଼ିକରୁ ବହି ଖୋଜି ଆଣିବା ସହ ସେଠାରେ ବସି ପଢିବାର ସୁଯୋଗ ରହିଛି । ବିଶେଷକରି କେଉଁ ଥାକରେ କେଉଁ ବହି ଗୁଡିକ ରହିଛି ତାହା ସେମାନେ କମ୍ପ୍ୟୁଟର ମାଧ୍ୟମରେ ଜାଣି ପାରୁଛନ୍ତି । ଯାହା ଫଳରେ ବହି ଖୋଜି ପାଇବାରେ କୌଣସି ଅସୁବିଧା ହୋଇନଥାଏ । ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଏହିଠାରେ ଏକକାଳୀନ ବସି ପଢିପାରିବେ। କନିକା ଲାଇବ୍ରେରୀ ବିଲ୍ଡିଂ ଯାହାକି ସର୍ବପୁରାତନ । ଏଠାରେ ସବୁଠାରୁ ପୁରାତନ ବହି ରଖାଯାଇଛି । ୧୮୩୬/୩୭ ମସିହାର ପ୍ରକାଶନ ବହି ଗୁଡିକ ମଧ୍ୟ ଏଠାରେ ସୁରକ୍ଷିତ ଭାବରେ ରଖାଯାଇଛି । ସେଗୁଡିକ ଅତି ପୁରୁଣା ହୋଇଯାଇଥିବାରୁ ସେଗୁଡିକୁ କେମିକାଲ ପ୍ରିଜରଭେସନ ମାଧ୍ୟମରେ ସୁରକ୍ଷିତ ଭାବରେ ରଖାଯାଇଛି । ଏହା ବହୁ ପୁରୁଣା ହୋଇଥିବାରୁ ତାହାକୁ ହାତରେ ଧରିଲେ ତାହା ମିଳାଇ ଯାଇଥାଏ । ଏହା ଛଡା ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ଇଂରାଜୀ ବିଭାଗର ଅଧ୍ୟାପକମାନେ ଅଧିକାଂଶ ବହି ଗୁଡିକ ଡିଜିଟାଲାଇଜ କରି ଏହି ଠାରେ ରଖିଛନ୍ତି । ଫଳରେ ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଏହାର ସୁବିଧା ପାଇ ପାରୁଛନ୍ତି । ପ୍ରାୟ ୧୦୦୦ ଖଣ୍ଡ ବହୁ ଗୁରୁତ୍ବପୂର୍ଣ୍ଣ ବହି ଡିଜିଟାଲାଇଜ ହୋଇ ରହିଛି । ନଭେମ୍ବର ୧୫ , ୨୦୧୩ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ରେଲି ଲାଇବ୍ରେରୀ ଆରମ୍ଭ କରାଯାଇଛି । ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । “ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ବହି ଗୁଡିକ ପଢି ପାରନ୍ତି ନାହିଁ। ତେଣୁ ସେହି ବହି ଗୁଡିକ ବ୍ରେଲ ପ୍ରିଣ୍ଟର ମାଧ୍ୟମରେ ସ୍କାନ କରି ବ୍ରେଲି ପ୍ରିଣ୍ଟ କରାଯାଇ ସେମାନଙ୍କୁ ପଢ଼ିବା ପାଇଁ ଦିଆଯାଇଥାଏ । ସେହିପରି ଏହି ସ୍କାନ କପିକୁ ଡିଜିଟାଲାଇଜ କରି ସେମାନଙ୍କୁ ପ୍ରଦାନ କରାଯାଉଛି । ୩ ଟି ସଫ୍ଟଓୟାର ଜସ, କରଜୁଆଲ ଓ ଏନବିଡିଏକୁ ବ୍ୟବହାର କରି ଅତି ସହଜ ଆଉ ସରଳ ଉପାୟରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନେ ପଢି ପାରୁଛନ୍ତି ବୋଲି ଆଇଟି ସେଲ ଇନଚାର୍ଜ ସବ୍ରାଟ ଖଟୁଆ କହିଛନ୍ତି । କଳାର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁବିଧା କରାଯାଇଛି । ରାଜନୀତି ବିଜ୍ଞାନ, ସମାଜ ବିଜ୍ଞାନ, ହିନ୍ଦୀ, ଇଂରାଜୀ, ଏଜୁକେଶନ, ଅର୍ଥନୀତି ଆଦି ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସୁବିଧା କରାଯାଇଛି । ସିଲାବସ ଅନୁଯାୟୀ ବିଷୟ ଗୁଡିକ ବିଭାଗୀୟ ମୁଖ୍ୟମାନେ ପଠାଇବା ପରେ ବ୍ରେଲିରେ କନଭର୍ଟ କରାଯାଏ” ବୋଲି କହିଛନ୍ତି ବ୍ରେଲ ଲାଇବ୍ରେରୀର ଆଇଟି ସପୋର୍ଟ ସମ୍ରାଟ ଖଟୁଆ । ସେ ଆହୁରି କହିଛନ୍ତି, “ପୂର୍ବରୁ ବ୍ରେଲ ପ୍ରିଣ୍ଟର ଥିଲା ଏବେ କିନ୍ତୁ ଏହାର ଅତ୍ୟାଧୁନିକ ମେସିନ ଅଣାଯାଇଛି । ଫଳରେ ଯେକୌଣସି ବହିକୁ ସ୍କାନ କରିଲେ, ସେଥିରେ ୮ଟି ଭାରତୀୟ ଭାଷାରେ ବ୍ରେଲରେ ପ୍ରିଣ୍ଟ ହୋଇ ବାହାରୁଛି । ସେହିପରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ୩ ଟି ସଫ୍ଟଓେୟାର କିଣା ଯାଇଛି । ଯାହାଦ୍ୱାରା ସେମାନେ କମ୍ପ୍ୟୁଟର ପାଖରେ ବସିଲେ ଅତି ସହଜରେ ପାଠ ପଢି ପାରିବେ । ଅଡିଓ ଭିଜୁଆଲ ମାଧ୍ୟମରେ ସେମାନେ ସେମାନଙ୍କ ବିଷୟ ପଢି ପାରିବେ । ଯେଉଁମାନଙ୍କର ଆଂଶିକ ଦୃଷ୍ଟିଶକ୍ତି ଯାଇଛି ସେମାନେ ମଧ୍ୟ କମ୍ପ୍ୟୁଟରରେ ଅଡିଓ ଭିଜୁଆଲ ମାଧ୍ୟମରେ ପାଠ ପଢି ପାରିବେ । ତେବେ ଓଡ଼ିଆ ଭଷା ପାଇଁ ଯେଉଁ କିଛି ସମସ୍ୟା ସୃଷ୍ଟି ହୋଇଛି,ତାହାର ସମାଧାନ ଖୁବଶୀଘ୍ର ହେବ । ଏନେଇ କିଛି କର୍ମଚାରୀଙ୍କୁ ଟ୍ରେନିଂ ପାଇଁ ପଠାଯାଇଛି । “ଲାଇବ୍ରେରୀକୁ ଯେକୌଣସି ଛାତ୍ରଛାତ୍ରୀ ଆସି ପାଠ ପଢ଼ିପାରିବେ। ମାତ୍ର ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମ ରହିଛି । ଯେଉଁ ଛାତ୍ରଛାତ୍ରୀ କନିକା ଲାଇବ୍ରେରୀରେ ପଢିବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା ରହିଛି। ଦିନିକିଆ ପାସ ଆଣି ସେମାନେ ଲାଇବ୍ରେରୀରେ ଅଧ୍ୟୟନ କରି ପାରିବେ । ପାସ ପାଇବା ପାଇଁ ପ୍ରଥମେ ଯେକୌଣସି ବିଭାଗୀୟ ମୁଖ୍ୟଙ୍କ ଅନୁମତି ଆବଶ୍ୟକତା ରହିଛି । ଯଦି କେହି କୌଣସି ବିଷୟର ମ୍ୟାଟେରିଆଲ ନେବାକୁ ଚାହିଁବେ ସେମାନେ ନକଲ କପି (xerox copy) ନେଇ ପାରିବେ । ଏଥିପାଇଁ ଅନୁମତିର ଆବଶ୍ୟକ ରହିଛି । କେଉଁ ବହିର କେଉଁ ପେଜ ଆବଶ୍ୟକ ସେନେଇ ଆବେଦନ କରିବାକୁ ପଡିବ ଏବଂ ଏଥିପାଇଁ ନିର୍ଦ୍ଧାରିତ ଟଙ୍କା ପୈଠ କରିବାକୁ ପଡିବ।”ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ସୁବିଧା କରାଯାଇଛି ତାହା କେବଳ ଅଧ୍ୟୟନ ପାଇଁ ବେଶ ସହାୟକ । ଏହି ସୁବିଧା ମିଳିବା ଦ୍ୱାରା ଜଣେ ଦୃଷ୍ଟି ବାଧିତ ଛାତ୍ର, ସାଧାରଣ ଛାତ୍ର ଭଳି ନିଜେ କମ୍ପ୍ୟୁଟର ଅପରେଟ କରି ପାରୁଛି” ବୋଲି କହିଛନ୍ତି ଏଠାରେ ଅଧ୍ୟୟନ କରୁଥିବା ଦୃଷ୍ଟିବାଧିତ ଛାତ୍ର । ସେହିପରି ଗବେଷକ ଡକ୍ଟର ଓମକାର ରାଉତଙ୍କ କହିବା କଥା, ଏଠାରେ ଡିଜିଟାଲରେ ସବୁ ମ୍ୟାଟେରିଆଲ୍ସ ଉପଲବ୍ଧ । ଯାହାକି ବାହାରେ ଅଧିକ ମୂଲ୍ୟ ରହିଥାଏ । ତେଣୁ ସହଜରେ ଅଧ୍ୟୟନ କରିହେଉଛି ।”