ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଳର ଅଧ୍ୟକ୍ଷଙ୍କ ବଦଳି
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ରାଣୀଭୋଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ମଣ୍ଡଳଙ୍କର ଏଠାରେ ଦୀର୍ଘ ୬ବର୍ଷର ଉତ୍ସର୍ଗୀକୃତ ସେବା ପରେ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁରକୁ ବଦଳି ହୋଇଯାଇଛି l ଶ୍ରୀ ମଣ୍ଡଳ ୨୦୧୮ ମସିହାରେ ରାଣୀଭୋଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୋଗ ଦେଇଥିଲେ l ତାଙ୍କର ଅଭିଜ୍ଞ ନେତୃତ୍ୱରେ ରାଣୀଭୋଳ ଆଦର୍ଶ ବିଦ୍ୟାଳୟ ବିଗତ ତିନିବର୍ଷ ଧରି କ୍ରମାଗତ ଭାବରେ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇ ଆସୁଛି l ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳ ଶିକ୍ଷକ ମାନଙ୍କ ପାଇଁ ଜଣେ ପରାମର୍ଶଦାତା, ଜଣେ ବନ୍ଧୁ ଏବଂ ପ୍ରେରଣାର ଉତ୍ସ ଥିଲେ l ଛାତ୍ରଛାତ୍ରୀ ମାନଙ୍କ ପ୍ରତି ତାଙ୍କର ଅତୁଳନୀୟ ସ୍ନେହ ପ୍ରକୃତରେ ଉଲ୍ଲେଖନୀୟ l ତାଙ୍କର ତତ୍ତ୍ଵାବଧାନରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି l ଅଧ୍ୟକ୍ଷଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ପାଇଁ ଅତି ଅଳ୍ପ ସମୟ ମଧ୍ୟରେ ରାଣୀଭୋଳ ଆଦର୍ଶ ବିଦ୍ୟାଳୟ କେବଳ ଓଡିଶାରେ ନୁହେଁ ବରଂ ସର୍ବ ଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ବିଦ୍ୟାଳୟ ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ଶିକ୍ଷକ, କର୍ମଚାରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦିଆଯାଇଥିବା ହୃଦୟସ୍ପର୍ଶୀ ସମ୍ବର୍ଦ୍ଧନା, ସ୍ପର୍ଶକାତର ବକ୍ତବ୍ୟ ଏବଂ ମନଲୋଭା ସ୍ମୃତିଚାରଣା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା l ପରିଶେଷରେ ସମସ୍ତେ ଅଧ୍ୟକ୍ଷ ମହୋଦୟଙ୍କୁ ତାଙ୍କର ନୂତନ ଭୂମିକା ପାଇଁ ଶୁଭେଚ୍ଛା ଜଣାଇଥିଲେ l ଅଧ୍ୟକ୍ଷ ମହୋଦୟ ମଧ୍ୟ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରି ବାଷ୍ପରୁଦ୍ଧ କଣ୍ଠରେ ବିଦାୟ ନେଇଥିଲେ l ଓଏଭି ରାଣୀଭୋଳ ଉପରେ ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳଙ୍କ ଗଭୀର ତଥା ସ୍ଥାୟୀ ପ୍ରଭାବ ପଡ଼ିଛି l ଓଏଭି ରାଣୀଭୋଳ ନିଃସନ୍ଦେହରେ ଅଧ୍ୟକ୍ଷଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନକୁ ହରାଇବ l ସୂଚନା ଦେବା ଆବଶ୍ୟକ ନାହିଁ ଯେ ବିଦାୟୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଣ୍ଡଳ ତାଙ୍କ ଉଦାର ଓ ତେଜୋଦୀପ୍ତି ଭାବମୂର୍ତ୍ତି ବଳରେ କେବଳ ଛାତ୍ର ମହଲରେ ଆପଣାର ଥିଲେ ତାହା ନୁହେଁ ବରଂ ସମଗ୍ର ଅଭିଭାବକ ଓ ଅଭିଭାବିକା ତଥା ସହଯୋଗୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ମଧ୍ୟ ଅନନ୍ୟ କର୍ମ କୁଶଳତା ଓ ନିଃସ୍ବାର୍ଥପର ସେବାର ନିଚ୍ଛକ ଉଦାହରଣ ଥିଲେ । ତାଙ୍କ କାର୍ଯ୍ୟରୁ ଏ ବିରତି ନେବାର ମୁହୁର୍ତ୍ତ କେବଳ ଏ ବିଦ୍ୟାଳୟର ବିଦ୍ୟାର୍ଥି ମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ ଅଟେ ।