ଓଡ଼ିଶା- ଆନ୍ଧ୍ର ସୀମାନ୍ତ ମହେନ୍ଦ୍ରତନୟା ଚେକ ଗେଟ ଠାରେ ଗଜପତି ଓ ଶ୍ରୀକାକୁଲମ ୨ ଏସ୍ପିଙ୍କ ମିଳିତ ଅନୁଧ୍ୟାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା- ଆନ୍ଧ୍ର ସୀମାନ୍ତ ତଥା ପୁରୁଣାପାଟଣା ରାସ୍ତାରେ ଥିବା ମହେନ୍ଦ୍ରତନୟାଚେକ ଗେଟ ଠାରେ ଉଭୟ ଗଜପତି ଓ ଆନ୍ଧ୍ର ଶିକାକୁଲମ ଜିଲ୍ଲାର ୨ ଏସପି ମିଳିତ ଭାବେ ଯାଞ୍ଚ କରିଛନ୍ତି. ସାଧାରଣ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧୂ ଲାଗୁ ହୋଇଛି। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ପଦକ୍ଷେପ ନେବାକୁ କୁହାଯାଇଛି। ହୋର୍ଡିଂ ହଟାଇବାଠାରୁ ଆରମ୍ଭ କରି କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍. କୁମାର ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି. ଆର୍ ରାଧିକା ମହେନ୍ଦ୍ରତନୟା ନଦୀ ତଟରେ ଥିବା ଚେକ ଗେଟ ଠାରେ ମିଳିତ ଭାବେ ଅନୁଧ୍ୟାନ କରିଥିଲେ | ଉଭୟ ଆରକ୍ଷୀ ଅଧୀକ୍ଷକ ସୀମାନ୍ତରେ ଯାତାୟାତ କରୁଥିବା ପ୍ରତ୍ୟେକ ଯାନବାହନାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଉଭୟ ଜିଲ୍ଲାର ବହୁ ପୁଲିସ ପଦାଧିକାରୀ ଉପସ୍ଥିତ ଥିଲେ I ଜିଲ୍ଲା ସୀମାନ୍ତରେ ଥିବା ସମସ୍ତ ଚେକ ଗେଟରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ଏବଂ ଯାଞ୍ଚକୁ କଡ଼ାକଡ଼ି କରାଯାଉଥିବା ଗଜପତି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।


