ଓଡ଼ିଶା ଉପରେ ପ୍ରଭାବ ସ୍ପଷ୍ଟ ହୋଇନାହିଁ
ଭୁବନେଶ୍ୱର: ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଏବେ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । କାଳକ୍ରମେ ଘନୀଭୂତ ହୋଇ ୧୫ରେ ଅବପାତର ରୂପ ନେବ । ୧୬ ସନ୍ଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ପ୍ରଥମେ ଉତ୍ତର ପଶ୍ଚିମ ଓ ପରେ ଉତ୍ତରପୂର୍ବ ଦିଗକୁ ଗତି କରିବ । ତେବେ ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ତେବେ ୧୩ରୁ ୧୭ ତାରିଖ ଯାଏଁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ସଠିକ ଆକଳନ କରାଯାଇପାରିବ । କେଉଁ ଉପକୂଳ ଅତିକ୍ରମ କରିବ ସେ ସମ୍ପର୍କରେ ପରେ ଆକଳନ କରାଯାଇପାରିବ ।
ତେବେ ୧୫ରୁ ସମୁଦ୍ର ଅଶାନ୍ତ ରହିବ । ୧୫ ପୂର୍ବରୁ ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି । ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ । କାଳକ୍ରମେ ଏହା ଘନୀଭୂତ ହୋଇ ୧୬ ସୁଦ୍ଧା ଝଡ଼ବାତ୍ୟାର ରୂପ ନେବେ । ଝଡ଼ବାତ୍ୟାର ରୂପନେଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପରେ ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ ଝଡ଼ବାତ୍ୟାର ରୂପରେଖ କିଭଳି ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।


