ଓଡ଼ିଶା କୃଷକ ସାଥୀ ସଂଘ ସହିତ କୃଷି ନିର୍ଦ୍ଦେଶକଙ୍କ ଆଲୋଚନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ଅପରାହ୍ନ ୫ ଘଟିକା ସମୟରେ କୃଷି ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୨ଏମ୍ଏ(୦୨) ୫୪/୨୦୨୨/୨୧୫ ତା ୦୩.୦୧.୨୦୨୩ରିଖ ଅନୁସାରେ କୃଷି ଭବନଠାରେ କୃଷି ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ କୃଷକସାଥୀ ମାନଙ୍କ ଦାବି ଗୁଡ଼ିକ ସମ୍ପର୍କରେ ସହାୟକ ପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଓଡ଼ିଶା କୃଷକସାଥୀ ସଂଘର ସଭାପତି ସୁବୋଧ କୁମାର ବାରିକ, କାର୍ଯ୍ୟକାରୀ ସଭାପତି ଅଭିଜିତ ଗୌତମ ଓ ଉପଦେଷ୍ଟା ଦିଗାମ୍ବର ଆଚାର୍ଯ୍ୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶା କୃଷକସାଥୀ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ ବେହେରାଙ୍କ ସହିତ ସମ୍ପାଦକ ସମୀର ପ୍ରଧାନ, ଉପସଭାପତି ପ୍ରିୟତମା ଜେନା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପରିଡ଼ା, କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ନିର୍ଦ୍ଦେଶକଙ୍କ ଆଦେଶ ମୁତାବକ ସବୁ ରାଜ୍ୟରୁ ଆଣିଥିବା ପତ୍ର ଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା । ନିର୍ଦ୍ଦେଶକ ମହାଶୟ ନିକଟରେ ସଂଘ ରଖିଥିବା ଦାବିଗୁଡ଼ିକ ମଧ୍ୟରୁ ପ୍ରଥମ ଦାବି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତ ପ୍ରଦାନ, ଦ୍ୱିତୀୟ ଦାବି ଯେଉଁ ୧୦୦୦ ଟଙ୍କା ମିଳୁଛି ତାକୁ ବୃଦ୍ଧି କରିବା ସହିତ ପ୍ରତି ମାସରେ ପ୍ରଦାନ କରାଯାଉ ଓ ତୃତୀୟ ଦାବି ହେଉଛି କୃଷକସାଥୀ ମାନେ କାର୍ଯ୍ୟ କରୁଥିବା କାର୍ଯ୍ୟକୁ ଅନୁଧ୍ୟାନ କରି ବ୍ୟବସ୍ଥା ହାତକୁ ନିଆଯାଉ ବୋଲି ଆବେଦନ କରାଯାଇଥିଲା । ଏହିସବୁ ବିଷୟକୁ ମାନନୀୟ କୃଷି ନିର୍ଦ୍ଦେଶକ ଗମ୍ଭୀରତା ସହ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି କୃଷକସାଥୀ ମାନଙ୍କ ପାଇଁ ଏକ ସୁବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଶ୍ୱାସନା ଦେଇଥିଲେ । ଆବଶ୍ୟକ ପଡ଼ିଲେ ପୁନର୍ବାର ରାଜ୍ୟ ସଂଘକୁ ଡ଼ାକି ଆଲୋଚନା କରିବେ ବୋଲି ସମ୍ପାଦକ ସୂଚନା ଦେଇଥିଲେ ।