ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମ୍ପାଦକ, ପ୍ରକାଶକମାନଙ୍କୁ ନେଇ ଗଠିତ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଭୁବନେଶ୍ୱର ୟୁନିଟ-୬ସ୍ଥିତ ନେତାଜୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ସମ୍ବାଦପତ୍ରର ସମ୍ପାଦକ ତଥା ସଂଗଠନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ତଥା ଦୈନିକ ସ୍ୱତନ୍ତ୍ରବାର୍ତ୍ତାର ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା କ୍ରମାଗତ ଅବହେଳାକୁ ମଧ୍ୟ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ଦୃଢ଼ ସମାଲୋଚନା କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରକାଶନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଏକ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବା ପାଇଁ ନିଜ ବକ୍ତବ୍ୟରେ ଦାବି କରିଥିଲେ । ବର୍ଷ ବର୍ଷ ଧରି ସରକାରୀ ଅନୁମୋଦନ ପାଇଁ ଆବେଦନ କରାଯାଇଥିବା ସମ୍ବାଦପତ୍ରଗୁଡ଼ିକ ପ୍ରତି କୋହଳ ମନଭାବ ପ୍ରଦର୍ଶନ କରି ସରକାରୀ ଅନୁମୋଦନ କରିବା, ଆର୍.ଏନ୍.ଆଇ. ପଞ୍ଜିକୃତ ଖବରକାଗଜ ଗୁଡ଼ିକୁ ସରକାରୀ ସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ର ଭଳି ମାନ୍ୟତା ପ୍ରଦାନ କରିବା, ସମସ୍ତ ଖବରକାଗଜର ସମ୍ପାଦକମାନଙ୍କୁ ବରିଷ୍ଠତାଭିତ୍ତିରେ ରାଜ୍ୟ ରାଜଧାନୀରେ ସରକାରୀ ଗୃହ ଯୋଗାଇ ଦେବା, ଖବର କାଗଜ ସମ୍ପାଦକମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ବସିବା ପାଇଁ ଏକ ସମ୍ପାଦକୀୟ ପ୍ରକୋଷ୍ଠର ବ୍ୟବସ୍ଥା ଭଳି ଦାବୀକୁ ନେଇ ସଂଗଠନ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ନିଜ ବକ୍ତବ୍ୟରେ ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜିର ବୈଠକ ପରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ଦାବି ନେଇ ସଂଗଠନର ଏକ ପ୍ରତିନିଧି ମଣ୍ଡଳୀ ସଂଗଠନର ରାଜ୍ୟ ସଭାପତି ବଂଶୀଧର ଜେନା ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ନୋଡ଼ାଲ୍ ଅଫିସର ଡ଼. ନିହାର ରଞ୍ଜନ ଦାସ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସଂକ୍ରାନ୍ତରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଦାବୀଗୁଡ଼ିକ ସଂକ୍ରାନ୍ତରେ ବିଚାର କରି ଖୁବ୍ ଶିଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଅଧିକାରୀ ପ୍ରତିନିଧିମଣ୍ଡଳୀକୁ ଆଲୋଚନା ବେଳେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।ଏହି ବୈଠକ ଓ ପ୍ରତିନିଧିମଣ୍ଡଳୀରେ ସଂଗଠନର କାର୍ଯ୍ୟକାରୀ ସଭାପତି ତଥା ଦକ୍ଷତାର ସମ୍ପାଦକ ଡ଼. ଜୀବନ କୁମାର ଦିକ୍ଷୀତ, ଉପସଭାପତି ତଥା ସତ୍ୟ ଖବରର ସମ୍ପାଦକ ଅକ୍ଷୟ କୁମାର ନାୟକ, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଉପାନ୍ତ ଖବରର ସମ୍ପାଦକ ଗଣେଶ ବିଶୋଇ, ଭୂମିବାର୍ତ୍ତାର ସମ୍ପାଦକ ସ୍ୱଦେଶ ଚନ୍ଦ୍ର ଦାସ, ଅନେକ ସୂଚନାର ସମ୍ପାଦକ ନିତ୍ୟ ନିରଞ୍ଜନ ପଣ୍ଡା, ଉପକୂଳ ସମାଚାରର ସମ୍ପାଦକ ଆର୍ତ୍ତତ୍ରାଣ ପତି, ଲୋକ ସମ୍ପର୍କର ସମ୍ପାଦକ ଦେବକାନ୍ତ ମହାପାତ୍ର, ବାବୁଲି ବେହେରା, ନିରଞ୍ଜନ ପଟ୍ଟନାୟକ, ପ୍ରସାନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଖବରକାଗଜର ପ୍ରକାଶକ ଓ ସମ୍ପାଦକମାନେ ଯୋଗଦେଇ ବୈଠକରେ ଆଲୋଚନା କରିବା ସହ ସଂଗଠନର ଆଗାମୀ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ ।