ଓଡ଼ିଶା ଲକଡାଉନ ଦେଶରେ ସବୁଠୁ ପ୍ରଭାବୀ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶାରେ ହୋଇଥିବା ଲକଡାଉନ ଦେଶରେ ସବୁଠୁ ପ୍ରଭାବୀ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଲକଡାଉନକୁ କଡ଼ା କଟକଣା ମଧ୍ୟରେ ପାଳନ କରାଯାଉଛି । ରାଜ୍ୟବାସୀ ସରକାରଙ୍କୁ ସମର୍ଥନ ଦେଇଛନ୍ତି । ୮୫ ପ୍ରତିଶତ ଲୋକେ ଏହା ସପକ୍ଷରେ ମତ ଦେଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଏହି ଲକଡାଉନ ଅଧିକ ସଫଳ ହୋଇଚି । ଜନ କୀ ବାତ ପକ୍ଷରୁ ହୋଇଥିବା ଡିକୋଡିଂ ଦ ଷ୍ଟେଟ ଅଫ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । କରୋନା ଯୁଦ୍ଧରେ ଓଡ଼ିଶା ନେଉଥିବା ପଦକ୍ଷେପ ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଥିଲା ବେଳେ ସବୁଠୁ ପ୍ରଭାବୀ ଲକଡାଉନ ବୋଲି ସର୍ଭେରେ ଜଣାପଡ଼ିବା ପରେ ଜାତୀୟ ସ୍ତରରେ ଓଡ଼ିଶା ପୁଣି ପ୍ରଶଂସା ସାଉଁଟିଛି ।
କୋଭିଡ-୧୯ ମୁକାବିଲାରେ ଆପଣଙ୍କ ରାଜ୍ୟ ସରକାରଙ୍କ ପ୍ରଦର୍ଶନ କିପରି ଥିଲା? ଏହାକୁ ନେଇ ସାରା ଦେଶରେ ଜନ କୀ ବାତ ପକ୍ଷରୁ ସର୍ଭେ ହୋଇଥିଲା । ଫେନେ ମାଧ୍ୟମରେ ଲୋକଙ୍କ ଠାରୁ ସାକ୍ଷାତକାର ନିଆଯାଇଥିଲା । ସର୍ଭେରେ ଭାଗ ନେଇଥିବା ୮୫ ପ୍ରତିଶତ ଓଡ଼ିଶାର ଲୋକେ ରାଜ୍ୟର ଲକଡାଉନ ଅନ୍ୟ ରାଜ୍ୟ ତୁଳନାରେ ବେଶି ପ୍ରଭାବଶାଳୀ ହୋଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପାଇଁ ଏହା ସଫଳ ସାବ୍ୟସ୍ତ ହୋଇଛି ବୋଲି ଲୋକେ ମତ ଦେଇଛନ୍ତି । ଓଡ଼ିଶାବାସୀ କରୋନା ଲଢେ଼ଇ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଦୃଢ଼ ଭାବେ ଛିଡା ହୋଇ ତାଙ୍କ କଟକଣା ନିଷ୍ପତ୍ତିକୁ ସମର୍ଥନ ଦେଇଥିଲା (୮୫%) ବେଳେ ଅନ୍ୟ ରାଜ୍ୟରେ କିନ୍ତୁ ଲୋକମାନେ ସରକାରଙ୍କ ନିଷ୍ପତ୍ତିକୁ ଏତେ ଦୃଢ଼ ଭାବେ ସ୍ୱୀକାର କରିନଥିବା ସର୍ଭେ କହୁଛି । ସର୍ଭେ ରିପୋର୍ଟ କହୁଛି, ପଶ୍ଚିମବଙ୍ଗରେ ମାତ୍ର ୩୮% ଲୋକ ଲକଡାଉନକୁ ସମର୍ଥନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲକଡାଉନ କଟକଣାକୁ ଭଲରେ ଗ୍ରହଣ କରିପାରୁନାହାନ୍ତି ଜନତା ଜନାର୍ଦ୍ଧନ । ଗୁଜରାଟରେ ୫୧, ବିହାରରେ ୫୦, ଗୋଆରେ ୫୨ ପ୍ରତିଶତ ଜନତା ସରକାରଙ୍କ ଲକଡାଉନକୁ ସମର୍ଥନ ଦେଇଛନ୍ତି । ସେହିଭଳି କର୍ଣ୍ଣାଟକରେ ୫୬, ମଧ୍ୟପ୍ରଦେଶରେ ୬୪, ମହାରାଷ୍ଟ୍ରରେ ୬୨ ଏବଂ ହରିୟାନାରେ ୬୪ ପ୍ରତିଶତ ଲୋକ ସରକାରଙ୍କ ପଦକ୍ଷେପକୁ ଗ୍ରହଣ କରିଛନ୍ତି । ପଡେ଼ାଶୀ ଝାଡ଼ଖଣ୍ଡରେ ୪୨, ରାଜସ୍ଥାନରେ ୬୪, ଛତିଶଗଡ଼ରେ ୭୫, ୟୁପିରେ ୬୬ ଓ ଦିଲ୍ଲୀରେ ୬୮% ଜନତା ସରକାରୀ ପଦକ୍ଷେପକୁ ଭଲରେ ଗ୍ରହଣ କରି ସମର୍ଥନ ଦେଇଛନ୍ତି । ମାତ୍ର ୮୫% ଓଡ଼ିଆ ନବୀନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବା ସର୍ଭେ ଦର୍ଶାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ