ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଜିଲାସ୍ତରୀୟ କାରୀଗର ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଜିଲାସ୍ତରୀୟ କାରିଗର ସମାବେଶ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଉଦୟ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ଶିଳ୍ପୀ ଓ କାରୀଗରମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ପର୍ଶୁରାମ ଧଡ଼ା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ହସ୍ତଶିଳ୍ପ ବିଭାଗ ସହକାରୀ ନିର୍ଦ୍ଦେଶକ ଅରୁଣ କୁମାର ମଣ୍ଡଳ, ଓରମାସର ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଏଥିରେ ବରେଣ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ମିଳିତ ଉଦଘାଟନ କରିଥିଲେ ।ଏହି ଅବସରରେ ଆୟୋଜିତ ‘ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା’ ସମ୍ପର୍କିତ ଆଲୋଚନାଚକ୍ରରେ ଅଂଶଗ୍ରହଣ ସହ ଅତିଥିମାନେ ଜିଲାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।ଐତିହ୍ୟ ସମ୍ପନ୍ନ ବାଲେଶ୍ୱର ଜିଲାର କଳା ଓ ସଂସ୍କୃତି ଓଡ଼ିଶାକୁ ବିଶ୍ୱସ୍ତରୀୟ ପରିଚୟ ଦେଇପାରିଛି ବୋଲି ଅତିଥିମାନେ କହିଥିଲେ । ପୂର୍ବରୁ ଦୟନୀୟ ଅବସ୍ଥାରେ ରହୁଥିବା ହସ୍ତଶିଳ୍ପୀମାନେ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ସହ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି । ଏହା ସତ୍ତ୍ୱେ ସେମାନଙ୍କ ସାମାଜିକ ସୁରକ୍ଷା ଦିଗ ପ୍ରତି ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି । ଏ ସମ୍ପର୍କରେ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉତ୍ଥାପନ କରାଯାଇଛି । କାରୀଗରଙ୍କ ସ୍ୱାର୍ଥରକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ପ୍ରସ୍ତୁତ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଖୁବଶୀଘ୍ର ହସ୍ତଶିଳ୍ପୀ ଓ ବୁଣାକାରମାନେ ଖୁସିର ଖବର ପାଇବେ ବୋଲି ବିଧାୟକମାନେ କହିଥିଲେ ।ଏଥି ସହିତ ଅନ୍ୟ ରାଜ୍ୟଭଳି ହସ୍ତଶଳ୍ପୀ ଓ ବୁଣାକାରଙ୍କ ଉତ୍ପାଦକୁ ଡିଜିଟାଲ ମାଧ୍ୟମରେ ଇ-ମାର୍କେର୍ଟିଂ ପାଇଁ ସରକାର ପ୍ଲାଟଫର୍ମ ପ୍ରସ୍ତୁତ କରୁଥିବା ଅତିଥିମାନେ ସୂଚନା ଦେଇଥିଲେ । ନିଜସ୍ୱ ପୋର୍ଟାଲ କିମ୍ବା ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ସେମାନେ ପରାମର୍ଶ ଦେଇଥିଲେ । ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ମହାସଂଘର ବାଲେଶ୍ୱର ଶାଖା ସଭାନେତ୍ରୀ ବାସନ୍ତୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଚିତ୍ରଶିଳ୍ପୀ କେଶୁ ଦାସ, ସରୋଜିନୀ ଦାସ, ଜୟନ୍ତୀ ନାୟକ, ପ୍ରଣୟ ଦାସ, ରଘୁନାଥ ସାହୁ, ତପନ ମହାରଣା, ଅଶୋକୁ କୁମାର ଗୁଇଁ, ମିନତୀ ବର, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ହସ୍ତଶିଳ୍ପୀ ଓ ବୁଣାକାର ଏହି ସମାବେଶରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ