ଓଡ଼ିଶୀ ଉଡ୍ର ମାଟିର ଅଦ୍ଵିତୀୟ ଶାସ୍ତ୍ରୀୟ ସଂଗୀତ, ଆଦ୍ୟ-ପ୍ରାନ୍ତ ଶାସ୍ତ୍ରୀୟତା ପ୍ରମାଣସିଦ୍ଧ

ବ୍ରହ୍ମପୁର,(ଅନିଲ କୁମାର): ଉଡ୍ର ଭୂଖଣ୍ଡ ଏକ ପରମ ପାବନ ଭୂମିଖଣ୍ଡ l ଓଡ଼ିଶୀ ଉଡ୍ର ମାଟିର ଅଦ୍ଵିତୀୟ ଶାସ୍ତ୍ରୀୟ ସଂଗୀତ ପାବନ ପୁରାତନ ଭୂମି l ଏହି ଭୂମିର ଭାଷା ଶାସ୍ତ୍ରୀୟ, ସାହିତ୍ୟ ଶାସ୍ତ୍ରୀୟ, ନୃତ୍ୟ ବି ଶାସ୍ତ୍ରୀୟ l ସଂଗୀତ କିପରି ଅଶାସ୍ତ୍ରୀୟ ହୋଇ ରହିବ ? ଓଡ଼ିଶୀ ସଂଗୀତ ଆଦ୍ୟ-ପ୍ରାନ୍ତ ଶାସ୍ତ୍ରୀୟ ବିଶେଷତା ବହନ କରୁଥିବାରୁ ଏହା ନିଶ୍ଚିତ ରୂପେ ଶାସ୍ତ୍ରୀୟ ବୋଲି ଉଡ୍ର ସଂଗୀତ ପରିଷଦ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶୀ ସଂଗୀତ ସମାରୋହ-୨0୨୫’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି l
ଓଡ଼ିଶା-ଦକ୍ଷିଣାଞ୍ଚଳର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଉଡ୍ର ସଂଗୀତ ପରିଷଦ’ ଆନୁକୂଲ୍ୟରେ ଆଜି ସ୍ଥାନୀୟ ପ୍ରକାଶମ୍ ହଲ୍ ପ୍ରେକ୍ଷାଗୃହରେ ଓଡ଼ିଶୀ ସଂଗୀତ ସମାରୋହ-୨0୨୫ ଏକ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଉଡ୍ର ସଂଗୀତ ପରିଷଦର ସଭାପତି ପ୍ରଖ୍ୟାତ ଓଡ଼ିଶୀ ଗୁରୁ ସଂଗୀତମାର୍ତ୍ତଣ୍ଡ ଆଚାର୍ଯ୍ୟ ସୀମାଞ୍ଚଳ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ଉଦ୍ଘାଟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ତଥା କବି ଓ ସମାଲୋଚକ ଡ. କୁଳମଣି ଓଝା ମୁଖ୍ୟଅତିଥି, ପରିବେଶବିତ୍ ଓ ସଂସ୍କୃତିପ୍ରେମୀ ସୁବାସ ମହାରଣା, ନାଟ୍ୟକାର ଡା. ତିରୁପତି ସାହୁ ଓ ଦୁର୍ଗାଚରଣ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶୀ ସଂଗୀତ ପରମ୍ପରା ଓ ଏହାର ଶ୍ରୁତିସୁଖଦାୟୀ ଚତୁର୍ବର୍ଗ ଫଳପ୍ରଦ ଆଧ୍ୟାତ୍ମିକ ଦିଗ ସଂପର୍କରେ ଆଲୋକପାତ କରିଥିଲେ l
ଏହି ସମାରୋହରେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟ କୁମାର ଜେନାଙ୍କୁ ‘ଉଡ୍ର କଳାହଂସ’, ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ମର୍ଦ୍ଦଳଗୁରୁ ଡ. ଧନେଶ୍ୱର ସ୍ୱାଇଁଙ୍କୁ ‘ଉଡ୍ର ବାଦ୍ୟବାରିଧି’, ଓଡ଼ିଶୀ ସଂଗୀତଗୁରୁ ଅଧ୍ୟାପକ ନିମାକାନ୍ତ ରାଉତରାୟଙ୍କୁ ‘ଉଡ୍ର କଳାନିଧି’, ନାଟ୍ୟକାର ଡା. ତିରୁପତି ସାହୁଙ୍କୁ ‘ଉଡ୍ର କଳାନିଧି’ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଜୟମାଳା ଚୌଧୁରୀଙ୍କୁ ‘ଉଡ୍ର କଳାନିଧି’ ସମ୍ମାନରେ ସମ୍ମାନିତ କରାଯିବା ସହ ପ୍ରଶସ୍ତିପତ୍ର, ଉପଢୌକନ ଓ ପୁଷ୍ପସ୍ତବକ ପ୍ରଦାନ କରାଯାଇଥିଲା l ଉଡ୍ର ସଂଗୀତ ପରିଷଦର ସଂପାଦକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ପ୍ରାକ୍-ସୂଚନା, ଅତିଥି ପରିଚୟ ପ୍ରଦାନ କରିବା ସଂଗେ ସଂଗେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଏହି ଅବସରରେ ଅଶୀ ବର୍ଷରେ ପଦାର୍ପଣ କରିଥିବା ପରିଷଦର ସଭାପତି ସଂଗୀତ ମାର୍ତ୍ତଣ୍ଡ ଆଚାର୍ଯ୍ୟ ସୀମାଞ୍ଚଳ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଉଥିଲା l ଓଡ଼ିଶୀ ନୃତ୍ୟଶିଳ୍ପୀ ଜୟମାଳା ଚୌଧୁରୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ l
ପରେ ପରେ ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କ ସଂଯୋଜନାରେ ଓଡ଼ିଶୀଗୁରୁ ଉମାଶଙ୍କର ଦାସ, ଗୁରୁ ଶିବରାମ ରଣା, ସ୍ନିଗ୍ଧାରାଣୀ ଗୌଡ଼, ବିକାଶ ଚନ୍ଦ୍ର ସାହୁ, ବନ୍ଦନା ରଥ, ଶ୍ରେୟା°ଶ ସାହୁ, ପ୍ରଣତି ପାତ୍ର, ଲତା ପଟ୍ଟନାୟକ, କୁସୁମ ପଟ୍ଟନାୟକ, ଡ. କୁଳମଣି ଓଝା, ଗୁରୁ ଲୋକନାଥ ମହାନ୍ତି, ଉତ୍କଳ ସଂଗୀତ ମହାବିଦ୍ୟାଳୟ ମର୍ଦ୍ଦଳ ବିଭାଗ ଅଧ୍ୟାପକ ମୁରଲୀଧର ସ୍ୱାଇଁ, ରୀତିସ୍ନିଗ୍ଧା ପ୍ରଧାନ, ସୁନୀତା ତ୍ରିପାଠୀ, ଦୁର୍ଗାପ୍ରସାଦ ଦାସ, ଗଣେଶ୍ଵର ସାହୁ, ଅନୁରାଧା ସାହୁ, ଡ. ନଳିନୀପ୍ରଭା ଦାସ, ଆଦ୍ୟାଶା ମିଶ୍ର, ରଘୁନାଥ ପାଣି, ରିଚା ମିଶ୍ର, ଜୟଶ୍ରୀ ମଣ୍ଡଳ, ଆଶୁତୋଷ ମଣ୍ଡଳ ପ୍ରମୁଖ ପାରମ୍ପରିକ ଓଡ଼ିଶୀ ସଂଗୀତ, ଚମ୍ପୂ ଓ ଛାନ୍ଦ ପରିବେଷଣ କରିଥିଲେ l ବାଦ୍ୟଯନ୍ତ୍ରରେ ମର୍ଦ୍ଦଳଗୁରୁ ମୁରଲୀଧର ସ୍ୱାଇଁ, ବଂଶୀବାଦକ ଗୁରୁ ହିମାଂଶୁ ଶେଖର ବିଧାର ଓ ସୌମ୍ୟରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଓଡ଼ିଶୀ ନୃତ୍ୟଗୁରୁ ଶେଖର ସୁମନ ମାଝିଙ୍କ ନିର୍ଦ୍ଦେଶନାରେ ତାଙ୍କ ଶିଷ୍ୟା ନୃତ୍ୟଶିଳ୍ପୀଗଣ ଦୁଇଟି ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ l କଳାକାର ସଂଘ ପକ୍ଷରୁ ସୁବାସ ଚନ୍ଦ୍ର ସାହୁ (ରୋସନ୍) କାର୍ଯ୍ୟକ୍ରମ ସଂଚାଳନାରେ ସହଯୋଗ କରିଥିଲେ l ଶେଷରେ ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ତଥା ପରିଷଦର ଉପ-ସଭାପତି ଡ. ନୃସିଂହ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ