ଓଡିଆଙ୍କ ଗର୍ବ, ଗୌରବ ଆଉ ପରିଚୟ : ଆମ ପଖାଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପଖାଳ..ଡହ ଡହ ଖରାବେଳରେ ଯେତେବେଳେ ଭୋକିଲା ପେଟ ଦାନା ଖୋଜୁଥାଏ, ସେତେବେଳେ ମନ ଖୋଜୁଥାଏ ଟିକେ ବାସିି ତୋରାଣି ଆଉ ତା ସାଙ୍ଗକୁ ସୁଆଦିଆ ପଖାଳ । ଗାଁ ହେଉ କି ସହର, ଭୁବନେଶ୍ୱର ହେଉକି ଭବାନୀପାଟଣା.ଓଡିଆ ଲୋକଙ୍କ ସବୁଠୁ ପ୍ରିୟ ଆଉ ମନ ପସନ୍ଦର ଖାଦ୍ୟ ହେଉଛି ଆମ ପଖାଳ ଭାତ । ବୈଶାଖର ଦୁହୁ ଦୁହୁ ଖରାବେଳେ, ଯେତେବେଳେ ଗାଁର ଚାଳଘରେ ପଖାଳ କଂସା ବଢାହୁଏ, ସେତେବେଳେ ପେଟରେ ଭୋକ ନଥିଲେ ବି, କଂସେ ପଖାଳ ଖାଇଦେବାକୁ ସମସ୍ତଙ୍କର ମନ କହେ । ସେମିତି ସହରର ପିଚୁ ରାସ୍ତା ସହ ଯୁଦ୍ଧ ଲଢି ଲଢି, ଯେତେବେଳେ କେହି ବି ଘରେ ପାଦ ରଖେ, ସେତେବେଳେ ପେଟ ଖୋଜିଥାଏ ଟିକେ ଦହି ସାଙ୍ଗକୁ ପଖାଳ ଭାତ । ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଟୁଇଟର ଟ୍ରେଣ୍ଡରୁ ଆରମ୍ଭ ହୋଇଥିବା ଏହି କଥାଟି ଏବେ ବିଶ୍ୱର କୋଣ ଅନୁକଣରେ ବାସ କରୁଥିବା ଅନେକ ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ତେବେ ଖାଲି ସେତିକି ନୁହେଁ, ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି । ପଖାଳକୁ ଖାଲି କେବଳ ଖାଦ୍ୟ କହିଦେଲେ ହୁଏତ ଭୁଲ୍ ହେବ । ପଖାଳ ହେଉଛି ଓଡିଆଙ୍କ ନିତି ଦିନର ବନ୍ଧୁ, ଗରିବର ସାଥୀ, ଗୋଟେ ବିଚାରଧାରା ଆଉ ଗୋଟେ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡିତ । ଖାଲି ଓଡିଶାରେ ରହୁଥିବା ଲୋକ ନୁହଁନ୍ତି, ବଂର ରାଜ୍ୟ ଆଉ ଦେଶ ବାହାରେ ରହୁଥିବା ଲୋକ ପଖାଳ ଖାଇ ଏହି ଦିବସ ମନାନ୍ତି । ଓଡିଶା ସହ ପଶ୍ଚିମବଙ୍ଗ, ବିହାର, ଆସାମ ଆଦି ରାଜ୍ୟରେ ପଖାଳ ବେଶ ଲୋକପ୍ରିୟ । ସେଇଥିପାଇଁ ତ ପଖାଳ ଓଡିଆମାନଙ୍କର ଗର୍ବ, ଐତିହ୍ୟ ଆଉ ଅମୃତ ସଦୃଶ । ତେବେ ଆଜି ପଖାଳ ଦିବସରେ ଆପଣ ମଧ୍ୟ ଆପଣଙ୍କ ଘରେ ପଖାଳ ଖାଆନ୍ତୁ । ସମସ୍ତଙ୍କୁ ସାଙ୍ଗରେ ନେଇ ସାଙ୍ଗରେ ବସି ପଖାଳ ଦିବସ ମନାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ