” ଓଡିଆ ମନ ପ୍ରାଣ ଓ ହୃଦୟର ଦିବସ ଉତ୍କଳ ଦିବସ “

ଡକ୍ଟର ଅମୂଲ୍ୟ କୁମାର ପଣ୍ଡା
ପବିତ୍ର ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆର ମନ, ପ୍ରାଣ ଏବଂ ହୃଦୟ ସହ ଜଡ଼ିତ। ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାପୁରୁଷମାନେ ନିଜ ସ୍ୱାର୍ଥକୁ ତ୍ୟାଗ କରି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥଲେ ଏବଂ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯେହେତୁ ଏପ୍ରିଲ ୧, ୧୯୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଏକ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପାଇଥିଲା, ଆମେ ଏହି ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ରୂପେ ପାଳନ କରୁଅଛୁ। ଏକଦା ନିଜର କଳା-ସ˚ସ୍କୃତି, ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା । କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ବାଧୀନତା ଏବ˚ ପରେ ସାମାଜିକ ନିରାପତ୍ତା, ଭାଷା ଓ ସ˚ସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା । ଏହାର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣ ଓଡ଼ିଆମାନେ, ତତ୍‌କାଳୀନ ବ୍ରିଟିସ୍‌ ସରକାରକୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟିନେବାକୁ ମସୁଧା କରିଥିଲେ । ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ, ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା କି ଜାତି ନୁହେଁ, ଏଣୁ ଏହାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ, ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ । ଯାହା ହେଉ, ସେମାନଙ୍କ ଷଡ଼୍‌ଯନ୍ତ୍ର ବିରୋଧରେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ବରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିଲା। ଶେଷରେ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ଆମେ ଏବ˚ ଜନ୍ମ ନେଇଥିଲା ସ୍ବତନ୍ତ୍ର ଓଡ଼ିଶା । ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ଉଲ୍ଲେଖନୀୟ ଘଟନା । ଏହା ଥିଲା ଊନବି˚ଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣର ଚୂଡ଼ାନ୍ତ ଫଳଶ୍ରୁତି । ସାଙ୍କେତିକ ଭାବେ ଏହା ଥିଲା ଓଡ଼ିଶାର ସ୍ବକୀୟତାର ଘୋଷଣା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ।

ଆସନ୍ତୁ ଏବେ ଜାଣିବା ଓଡ଼ିଶାର କିଛି ପୂର୍ବ ଇତିହାସ କଥା, ଯାହା ସମସ୍ତେ ଜାଣିବା ଉଚିତ୍ । ଇଂରେଜମାନଙ୍କ ପୂର୍ବରୁ ଓଡିଶା ମରହଟ୍ଟା ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା। ମରହଟ୍ଟା ମାନଙ୍କର ଅତ୍ୟାଚାରରେ ସମଗ୍ର ଓଡ଼ିଶାବାସୀ ଅତିଷ୍ଠ ହୋଇପଡିଥିଲେ। ଏହାର ସୁଯୋଗ ନେଇଥିଲେ ହରକୋଟ୍ ସାହେବ। ଏହି ପରିପ୍ରେକ୍ଷୀରେ ହରକୋଟ ସାହେବ ପୁରୀର ମହନ୍ତଙ୍କ ପାଖକୁ ସଂମ୍ପୂର୍ଣ୍ଣ ନିରାପଦ ଯୋଗାଇଦେବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଏହା ପରେ ଖୋର୍ଦ୍ଧାରାଜାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସୈନିକମାନଙ୍କର ଯାତାୟତର ସୁବିଧା କରାଇ ଦେଇଥିଲେ। ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ସଂଘର୍ଷ ପରେ ପୁରୀ ଇଂରେଜମାନଙ୍କ ଅଧିନକୁ ଚାଲିଯାଇଥିଲା। ପୁରୀର ସୁରକ୍ଷା ଦାୟିତ୍ଵ ନେଇଥିଲେ ମେଜର ଫ୍ଲେଚର୍। ଧିରେ ଧିରେ ମରହଟ୍ଟା ଶକ୍ତି ଇଂରେଜ ସାମର୍ଥ୍ୟ ପାଖରେ ହାର ମାନୁଥାଏ। ଇଂରେଜ ସୈନ୍ୟବାହିନୀ କଟକକୁ ଅକ୍ତିଆର କରିବାକୁ ଅଗ୍ରସର ହେଉଥାନ୍ତି। ଏହି ସମୟରେ ଅହମଦପୁର ଓ ମୁକୁନ୍ଦପୁରଠାରେ ମରହଟ୍ଟା ସୈନ୍ୟର ପ୍ରତିରୋଧର ସମ୍ମୁଖିନ ହୁଅନ୍ତି ଇଂରେଜ ସୈନ୍ୟ ମାତ୍ର ଇଂରେଜମାନଙ୍କର ସାମର୍ଥ୍ୟ ମରହଟ୍ଟା ଶକ୍ତିକୁ ଅତି ସହଜରେ ପରାସ୍ତ କଲେ। ଅକ୍ଟୋବର ମାସ ୧୪ ତାରିଖରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରନ୍ତି। ଏହାପରେ କଟକର ପରିଚାଳନା ପାଇଁ ଏକ କମିଶନ ଗଠନ କରାଗଲା, ଯେଉଁଥିରେ ହରକୋଟ୍, ଟି.ଏଚ୍.ଆର୍ଣ୍ମେଷ୍ଟ ଓ ମାଲଭିଲେ ସଦସ୍ୟ ରହିଲେ । ଓଡ଼ିଶାର ରାଜା, ଜମିଦାରମାନେ ବ୍ରିଟିଶ ଶାସକମାନଙ୍କୁ କର ଦେବାକୁ ସମ୍ମତି ପ୍ରଦାନ କରାଗଲା । ଧିରେ ଧିରେ ବାଲେଶ୍ଵର ଓ ସମ୍ଵଲପୁର ମଧ୍ୟ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ। ସଂପୂର୍ଣ୍ମ ଓଡିଶା ଦଖଲ ପରେ ୧୮୦୩ ଡିସେମ୍ଵର ମାସରେ କମିଶନରଙ୍କ କାର୍ଯ୍ୟନିର୍ବାହକ କଲେକ୍ଟର ଜେମସ ହତାରଙ୍କୁ ଭୂ-ରାଜସ୍ଵ ନୀତି ପାଇଁ ନିର୍ଦ୍ଦେଶ ଦେଲେ। ଧିରେ ଧିରେ ଓଡିଶା ସମ୍ପୂର୍ଣ୍ଣଭାବରେ ଇଂରେଜମାନଙ୍କ ଅଧିନକୁ ଚାଲିଗଲା । ଅର୍ଥନୀତି, ସମାଜନୀତି ସବୁକିଛିର ନିର୍ଦ୍ଧାରକ ସାଜିଲେ ଇଂରେଜମାନେ। ସାମାଜିକ ବିଧି ବ୍ୟବସ୍ଥାର ନବୀକରଣ ନାମରେ ଓଡ଼ିଆ ଜାତି ନିଜର ନିଜସ୍ଵ ସଂସ୍କୃତି ଓ ପରମ୍ପରା ହରାଇ ଦେଲା। ନୂତନ ଚିନ୍ତା ଚେତନାର ଆଗମନ ନାମରେ ନିଜସ୍ଵ ଫାଇଦା ଉଠାଇବା ପାଇଁ ଚାହିଁଲେ ଇଂରେଜ ସରକାର। ତେଣୁ ଉନବିଂଶ ଶତାଦ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବୋପରି ଜାତୀୟ ଜୀବନ ପାଇଁ ଥିଲା ଏକ ପରୀକ୍ଷାର ସମୟ। ୧୯୧୨ମସିହାରେ ଇଂରେଜ ସରକାର ଓଡିଶା-ବିହାରକୁ ନେଇ ବିହାର-ଓଡିଶା ପ୍ରଦେଶ ଗଠନ କରନ୍ତି। ଫଳରେ ବହୁ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡିଶା ଡିଭିଜନ ଭିତରେ ନ ରହି ମାନ୍ଦ୍ରାଜ, ମଧ୍ୟ ପ୍ରଦେଶ ଓ ବଙ୍ଗପ୍ରଦେଶ ସହିତ ମିଶି ରହିଥିଲା। ତେଣୁ ଏ ସମସ୍ତ ବିଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ପ୍ରରମ୍ଭିକ ପ୍ରସ୍ତୁତି ଆରମ୍ଭ ହେଲା। ଓଡିଶାକୁ ଇଂରେଜ ଆଗମନର ଠିକ ଶହେ ବର୍ଷ ପରେ ଅର୍ଥାତ୍ ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଠନ କଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ଗୋପବନ୍ଧୁ ଓ ପାରଳାର ଗଜପତି ମହରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ। ,ସେମାନଙ୍କ ଉଦ୍ୟମରେ ୧୯୬୩ ମସିହା ଅପ୍ରେଲ ମାସ ୧ ତାରିଖରେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଘୋଷଣ କରାଗଲା। ବିହାରରେ ମିଶିଥିବା ଓଡ଼ିଶା ଡିଭିଜନରୁ ( କଟକ, ପୁରୀ, ବାଲେଶ୍ଵର, ଅନୁଗୁଳ ) ସମ୍ଵଲପୁର ଜିଲ୍ଲା ଓ ସେତେବେଳର ମାନ୍ଦ୍ରାଜରୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ପ୍ରଦେଶ ଗଠନ କରାଗଲା। ସେହିଦିନଠାରୁ ପ୍ରତିବର୍ଷ ଅପ୍ରଲ ପହିଲାକୁ ଉତ୍କଳ ଦିବସ ଭାବରେ ପାଳନ କରାଗଲା। ଏହା ହେଉଛି ଉତ୍କଳ ଦିବସର ମହାନ ଇତିହାସ। ଆମ ଜାତି ଆମ ଦେଶ କିପରି ସୁସଂଗଠିତ ହୋଇ ନିଜର ପ୍ରକୃତ ପରିଚୟ ପ୍ରାପ୍ତ ହୋଇ ପାରିଲା ସେ ସମ୍ପର୍କରେ ଆମ ଉତ୍ତର ପିଢି ଅବଗତ ହେବା ଉଚିତ। ସେମାନଙ୍କୁ ଐକ୍ୟ ଓ ସଂହତିର ଗୁଣଗାନ ପାଇଁ ପ୍ରେରଣା ପ୍ରଦାନ କରିବା ଉଚିତ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇ ଦେଶ ଓ ଜାତିର ଏକତା ଓ ପ୍ରଗତି ତଥା ଯେଉଁମାନେ ଚିନ୍ତା କରୁଥିଲେ ସେଇ ଗୋପବନ୍ଧୁ ଓ ମଧୁବାବୁଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ବ୍ୟକ୍ତିକ୍ଵର ବିକାଶ ସାଧନା କରିବା ଆବଶ୍ୟକ । ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ । ମାତ୍ର ଦୁଃଖର କଥା ଯେ, ଆଜକୁ ୮୪ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ତାହା ପରବର୍ତ୍ତୀ ପିଢି ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି । ଖଣି, ଖାଦାନ, ଜଙ୍ଗଲ, ଜଳରେ ପରିପୂର୍ଣ୍ଣ ଓଡ଼ିଶା । ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରୀବ ହୋଇ ରହିଛନ୍ତି । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡ଼ିଆ ଲୋକ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି । ଏସବୁର ସଜଡା ଦିଗ ପ୍ରତି ସଜାଗ ରହିଲେ ସେହି ମହାନ ବ୍ୟକ୍ତି ପ୍ରତି ଉଚିତ୍ ସମ୍ମାନ ହୋଇପାରିବ ବୋଲି ଆଶା କରାଯାଏ।
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ – ୯୯୩୮୯୦୬୦୭୦

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ