ଓଡିଆ ଯୁବକ ସଂଗ୍ରାମଙ୍କ ବିରଳ ବିଶ୍ୱରେକର୍ଡ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଜ୍ଞାନ ବାଣ୍ଟିଲେ ବଢେ । ଜଣେ ଓଡିଆ ଯୁବକ ସଂଗ୍ରାମ କେଶରୀ ସେନାପତି ଦୀର୍ଘ ଦୁଇ ବର୍ଷ ଧରି ଇଣ୍ଟରନେଟ୍ରେ ଉପଲବ୍ଧ ଖୋଲା ଜ୍ଞାନକୋଷ ଉଇକିପିଡିଆରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ବିରଳ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଉଇକିପିଡିଆ, ଇଣ୍ଟରନେଟ୍ରେ ଉପଲବ୍ଧ ଏକ ମୁକ୍ତ ଏନ୍ସାଇକ୍ଲୋପିଡିଆ ବା ଜ୍ଞାନକୋଷ ଯାହାକି ଏବେ ଇଂରାଜୀ ସମେତ ୩୦୪ଟି ଭାଷାରେ ଉପଲବ୍ଧ । ଉଇକିପିଡିଆରେ ଉପଲବ୍ଧ ତଥ୍ୟ ପ୍ରାସଙ୍ଗିକ ଏବଂ ଆଧାରଯୁକ୍ତ ହୋଇଥିବାରୁ ଏହାକୁ ଅଧିକାଂଶ ସ୍ଥାନାରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏଥିସହ ଏହି ଏନ୍ସାଇକ୍ଲୋପିଡିଆରେ ସ୍ଥାନିତ ସମସ୍ତ ଲେଖା ସି.ସି.ଏସ୍.ଏ ୩.୦ରେ ଉପଲବ୍ଧ, ଯାହାକୁ କେହି ମାଗଣାରେ ପଢିପାରିବେ । ତେଣୁ ଓଡିଆ ଉଇକିପିଡିଆରେ ଅଧିକରୁ ଅଧିକ ପ୍ରସଙ୍ଗ ଯୋଡିବା ଅତି ଆବଶ୍ୟକ । ୨୦୧୪ ମସିହାରୁ ଓଡିଆ ଉଇକିପିଡିଆରେ କାର୍ଯ୍ୟ କରିଆସୁଥିବା ସଂଗ୍ରାମ ୨୦୧୭ ମସିହାରୁ ପ୍ରତ୍ୟେକ ଦିନ ଅତିକମରେ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିବା ପାଇଁ ସ୍ଥିର କରିଥିଲେ । ଉଇକିପିଡିଆରେ ୧୦୦ ଉଇକିଡେଜ୍ ନାମକ ଏକ ପ୍ରସଙ୍ଗ ଲିଖନ ପ୍ରତିଯୋଗିତାରୁ ସେ ଲେଖିବା ଆରମ୍ଭ କରିଥିଲେ । ପରେ ପରେ ସେହି ଲିଖନ ଧାରାକୁ ଜାରି ରଖିଥିଲେ । ଯାହାକି ୧ ଉଇକିୟର ଓ ୨ ଉଇକିୟରରେ ପରିଣତ ହୋଇଗଲା । ଏବେ ମଧ୍ୟ ସେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ଆସୁଛନ୍ତି । ବିଭିନ୍ନ ବାଧାବିଘ୍ନରେ ସେ କେବେ ପ୍ରସଙ୍ଗ ରଚନାରୁ ବିରତ ହୋଇନାହାନ୍ତି । ଏମିତିକି ୨୦୧୭ ମସିହାରେ ଏପ୍ରିଲ ମାସରେ ଭଦ୍ରକରେ ଉପୁଜିଥିବା ଦଙ୍ଗା ସମୟରେ ଦୁଇଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା । ମାତ୍ର ସେ କଫ୍ୟୁ କୋହଳ ହେବା ପରେ ମିଳୁଥିବା କିଛି ବିରତି ସମୟରେ ମୋଟରସାଇକେଲ ଜରିଆରେ ବାଲେଶ୍ୱର ଆଡକୁ ଯାଉଥିଲେ ଏବଂ ଇଣ୍ଟରନେଟ୍ ଆସିବା ପରେ ରାସ୍ତା କଡରେ ଲ୍ୟାପଟପ୍ ଧରି ପ୍ରସଙ୍ଗ ଲେଖିଥିଲେ । ପେଶାରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରୁଥିବା ସଂଗ୍ରାମ ଓଡିଆ ଇ-ପତ୍ରିକା ଏବଂ ୱେବ୍ ପୋର୍ଟାଲ ଶୁଭପଲ୍ଲଭର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ । ଏହି ପତ୍ରିକା ପ୍ରଥମ ଅଡିଓ ପତ୍ରିକା ବାହାର କରୁଛି । ଯେଉଁଥିରେ ଲୋକମାନେ ଗପ ପଢିବା ପରିବର୍ତ୍ତେ ଗପ ଶୁଣି ପାରିବେ, ଯାହାକି ୟୁ-ଟ୍ୟୁବ୍ରେ ଉପଲବ୍ଧ । ଶୁଭପଲ୍ଲବ ଏବେ ଓଡିଆ ସମେତ ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ସଂସ୍କୃତ ଭାଷା ଆଦିରେ ଉପଲବ୍ଧ ହେବାକୁ ଯାଉଛି ।