ଓଡିଶାବାସୀଙ୍କ ଜୀବନଶୈଳିକୁ ସହଜ କରିବା ନେଇ ଗୁରୁତ୍ୱ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଓଡିଶାରେ ଲକ୍ ଡାଉନ ସମୟ ସୀମା ମଧ୍ୟରେ ଲୋକମାନେ କିପରି ସହଜରେ ସବୁ ସୁବିଧା ପାଇପାରିବେ ସେ ନେଇ ଆଲୋଚନା କରିଥିବା କହିଛନ୍ତି । କରୋନା ମହାମାରୀ ପରି କଷ୍ଟକର ସମୟରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନେ କେବଳ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ କାମ କରୁନାହାନ୍ତି ବରଂ ସେମାନେ ଏକ ସୁସ୍ଥ ଓଡିଶା ଏବଂ ଭାରତ ଗଠନ ପାଇଁ ପିଏମ କେୟାର୍ସ ଫଣ୍ଡକୁ ନିଜର ଦରମା ମଧ୍ୟ ଦାନ କରିଛନ୍ତି । କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରୁଥିବାରୁ ରାଷ୍ଟ୍ରାୟତ ଉଦ୍ୟୋଗ ବିଶେଷ ଭାବରେ ତୈଳ, ଗ୍ୟାସ ତଥା ଇସ୍ପାତ୍ ଏବଂ ପୂର୍ବତଟ ରେଳ, ବିଏସଏନଏଲ ଓଡିଶା, ଜାତୀୟ ରାଜମାର୍ଗ ପ୍ରାଧିକରଣ ବା ଏନଏଚଏଆଇ , ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ), ଏନଟିପିସି, ଭାରତୀୟ ବିମାନ ସେବା ପ୍ରାଧିକରଣ, ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍, ପାରାଦୀପ ପୋର୍ଟ ଟ୍ରଷ୍ଟ, ଭାରତୀୟ ଡାକ, ଜାତୀୟ ପାୱାର ଗ୍ରୀଡ୍ ଲିମିଟେଡ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାବ୍ୟତିତ ଏହି ଆଲୋଚନାରେ କରୋନା ଭୂତାଣୁର ଅଧିକ ସଂକ୍ରମଣ ରୋକିବାକୁ ସମସ୍ତ କର୍ମଚାରୀଙ୍କୁ ଘରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଏବଂ ଅନ୍ୟ ମାନଙ୍କୁ ଏ ସମ୍ପର୍କରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ମଜବୁତ୍ କରିବା ପାଇଁ ପ୍ରଧାନ ପରାମର୍ଶ ଦେଇଥିଲେ ।