ଓଡିଶାର ଅବହେଳିତ ତିନୋଟି ଜଳପ୍ରପାତ

ଦାରିଙ୍ଗବାଡି, (ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ପର୍ଯଟନ ସ୍ଥଳି ରହିଛି, ଯାହା ଆଜି ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ। ସେଗୁଡ଼ିକର ଚିଠା ପର୍ଯ୍ୟଟନ ବିଭାଗ ପାଖରେ ମଧ୍ୟ ନାହିଁ। ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ, ଯାହା କିଛି ପରିଚୟ ହାସଲ କରିଛି। ଦାରିଙ୍ଗବାଡ଼ି ବ୍ଲକରେ ଥିବା ସେଭଳି କେତେକ ପର୍ଯ୍ୟଟନ ସ୍ଥଳ ହେଉଛି ମନଲୋଭା ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଳପ୍ରପାତ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ଗ୍ରାମ ସିସ୍ଥ ଶେଷାୱିଓସି ଜଳପ୍ରପାତ, ଶ୍ରାନିକେତା ପଞ୍ଚାୟତ ସ୍ଥିତ କୁରାଡ଼ବାନ୍ଧା ଜଳପ୍ରପାତ ଏବଂ ଦନେକବାଡ଼ି ପଞ୍ଚାୟତ ପଙ୍ଗାଲି ଗ୍ରାମ (କୁଡିଗୁଞ୍ଜା ଛକ) ଠାରୁ ମାତ୍ର କିଛି ଦୂରରେ ଥିବା ମାଡ଼ଃହେଜୁ ଜଳପ୍ରପାତ। ଦାରିଙ୍ଗବାଡ଼ି ଠାରୁ କେବଳ ୧୦ କିମି ଦୂରତା ମଧ୍ୟରେ ରହିଛି ଏହି ତିନିଟି ଜଳପ୍ରପାତ। ଯାହାକି ଆଜି ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ। ଏ ଗୁଡ଼ିକ ବିଷୟରେ ଜିଲ୍ଲା ପର୍ଯ୍ୟଟନ ବିଭାଗରେ ମଧ୍ୟ ଖବର ନଥିବା ସ୍ଥାନୀୟ ଲୋକ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ କେତେକ ଲୋକଙ୍କ ଠାରୁ ଖବର ପାଇ କେତେକ ପର୍ଯ୍ୟଟକ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଳପ୍ରପାତ ସ୍ଥଳକୁ ଯାଇଥିଲେ।କୁରାଡ଼ବାନ୍ଧା ଜଳପ୍ରପାତ ଶ୍ରାନିକେତା ଗ୍ରାମ ଠାରୁ ୩ କିମି ଦୂର ହୋଇଥିବା ବେଳେ ଦାରିଙ୍ଗବାଡ଼ି ଠାରୁ ଏହାର ଦୂରତା ୭ କିମି। ସେହିଭଳି ଶେଷାୱିଓସି ଜଳପ୍ରପାତ କିସୁବାଡ଼ି ଗ୍ରାମରୁ ୩ କିମି ଦୂର ହୋଇଥିବା ବେଳେ ଦାରିଙ୍ଗବାଡ଼ି ଠାରୁ ମାତ୍ର ୮କିମି ଦୂର। ସେଭଳି ମାଡ଼ଃହେଜୁ ଜଳପ୍ରପାତ ପଙ୍ଗାଲି ନିକଟ କୁଡ଼ିଗୁଞ୍ଜା ଛକରୁ ୩ କିମି ଓ ଦାରିଙ୍ଗବାଡ଼ିରୁ ମାତ୍ର ୧୦ କିମି ଦୂରରେ ରହିଛି। ବର୍ତ୍ତମାନ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହି ପର୍ଯ୍ୟଟନସ୍ଥଳୀ ନେଇ ଅଳ୍ପ କେତେକ ପର୍ଯ୍ୟଟକଙ୍କୁ ଛାଡ଼ିଦେଲେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସହ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଆଲୋଚନା ହେଉଛି। ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ବିକାଶ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି। ପୂର୍ବରୁ ଏହି ଜଳପ୍ରପାତ ନିକଟକୁ ରାସ୍ତା ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କୌଣସି କାରଣ ପାଇଁ କାମ ଆରମ୍ଭ ନ ହୋଇ ଅଟକି ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବ୍ଲକ୍ ଅଞ୍ଚଳର ଉନ୍ନତି କରଣ ପାଇଁ ୩ କୋଟି ମଞ୍ଜୁର କରାଇଥିବା ବେଳେ କିସୁବାଡ଼ି ଠାରୁ ଶେଷାବିଓସି ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ୧୦ ଲକ୍ଷ ଅନୁଦାନ ଆସିଥିବା ଜଣାପଡ଼ିଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆହୁରି କିଛି ସରକାରୀ ଅନୁଦାନ ପ୍ରଦାନ କଲେ ଲୋକ ଲୋଚନକୁ ଆସିବା ସହ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ପାଇ ପାରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ