ଓଡିଶାର ପଛୁଆବର୍ଗ ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ଲାଗି ତାଲିମ୍ ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ ଅଧିନିୟମ ୧୯୯୩ର ଧାରା ୯ ର ଉପଧାରା ୧(କ) ଦ୍ବାରା ଅର୍ପିତ କ୍ଷମତାର ପ୍ରୟୋଗ କ୍ରମେ ଓଏସ୍.ସିବିସି, ଅଧିନିୟମ ୧୯୯୩ ଭାବରେ ନାମିତ ତଥା ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ୍ (ସଂଶୋଧନ) ଅଧିନିୟମ, ୨୦୨୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ଥିବା ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ତଥା ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତରେ ଗଞ୍ଜାମ ଜିଲ୍ଲାର ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବୁଧବାର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓଡିଶା ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତରେ ସର୍ଭେ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସର୍ଭେ କାର୍ଯ୍ୟ ଯଦି ସଠିକ ହୁଏ ଜିଲ୍ଲାରେ ରହୁଥିବା ପଛୁଆ ବର୍ଗ ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସୁଦୃଢ ହୋଇ ପାରିବ । ଏଣୁ କରି ସର୍ଭେ କାର୍ଯ୍ୟକୁ ଗୁରୁତର ସହିତ ଗ୍ରହଣ କରି କାର୍ଯ୍ୟ ତୁଲାଇବାକୁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ତେଣୁ ସର୍ଭେ କାର୍ଯ୍ୟକ୍ରମ ଯେପରି ନିର୍ଭୁଲ ଭାବେ ହୋଇ ପାରିବ ଏଥି ନିମନ୍ତେ ଆବଶ୍ୟକୀୟ ତାଲିମ ପ୍ରଦାନ ଶଟିକ ଭାବରେ କରିବାକୁ ମାଷ୍ଟର ଟ୍ରେନର୍ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ପରାମର୍ଶ ଦେଇଥିଲେ । ସର୍ଭେ ସେଣ୍ଟର ଗୁଡିକୁ ଆବଶ୍ୟକୀୟ ସାମଗ୍ରୀ ନୋଡାଲ ଅଫିସର୍ ମାନେ ଯୋଗାଇ ଦେବାକୁ କୁହାଯାଇଥିଲା ।
ଓଡିଶାରେ ଥିବା ପଛୁଆ ବର୍ଗର ଲୋକ ମାନଙ୍କର ବର୍ତ୍ତମାନ ଥିବା ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ହେଉଛି ଏହି ସର୍ଭେର ମୂଳ ଲକ୍ଷ୍ୟ । ସମଗ୍ର ରାଜ୍ୟରେ ଏହି ସର୍ଭେ ମଇ ମାସ ୧ ତାରିଖରୁ ଆରମ୍ଭ ହୋଇ ମଇ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ତା ପରେ ମଇ ୨୧ ତାରିଖ ଠାରୁ ମଇ ୨୫ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଚାଲୁ ରହିବ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ ଆନୁମରେଟର୍ ଓ ସୁପରଭାଇଜର୍ ମାନଙ୍କ ଭୂମିକା ଉପରେ ତାଲିମ୍ ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର (ରାଜସ୍ବ) ଦୟାସିନ୍ଧୁ ପରିଡା ସେମାନଙ୍କୁ ଦିଆ ଯାଇଥିବା କୋଡ୍ ନମ୍ବର, ଆଇ.ସି.ଆର୍ ସର୍ଭେ ଫର୍ମ ସମ୍ବନ୍ଧରେ ବିସ୍ତୃତ ସୂଚନା, ଆଇ.ସି.ଆର୍. ଫର୍ମର ବ୍ୟବହାର, ସଠିକ କୋଡ୍ ସହିତ ଆଇ.ସି.ଆର୍. ସର୍ଭେ ଫର୍ମ ପୂରଣ କରିବା ବିଷୟରେ ତାଲିମ୍ ପ୍ରଦାନ କରିଥିଲେ । ଏନୁମରେଟର୍ ଓ ସୁପରଭାଇଜର୍ ମାନଙ୍କ ଦ୍ବାରା ସଂଗ୍ରହ କରାଯାଇଥିବା ଦୈନନ୍ଦିନ ତଥ୍ୟ, ପୋର୍ଟାଲ ରେଜିଷ୍ଟେସନ୍, ମୋବାଇଲ୍ ଆପ୍ଲିକେସନ୍ ରେ କିପରି ଟ୍ୟାଗ୍ କରାଯାଇ ପାରିବ ସେ ସମ୍ପର୍କରେ ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ତାଲିମ୍ ପ୍ରଦାନ କରିଥିଲେ । ଏହି ସର୍ଭେ ମାଧ୍ୟମରେ ମୁଖ୍ୟତଃ ପଛୁଆ ବର୍ଗର ଲୋକ ମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁ ପ୍ରକାରର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି ସେ ବିଷୟରେ ସୂଚନା ମିଳିବା ଦ୍ବାରା ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇ ପାରିବ । ସର୍ଭେ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ଏନୁମରେଟର୍ ଓ ସୁପଭାଇଜର ମାନଙ୍କୁ ତାଲିମ ଦେବାଲାଗି ବ୍ଲକ୍ ଓ ସ୍ଥାନୀୟ ପୌର ପାଳିକା ସ୍ତରରେ ମାଷ୍ଟର ଟ୍ରେନର୍ ଚିହ୍ନଟ କରି ତାଲିମ ଦିଆଯିବ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର (ନିଜାରତ) ଓମ୍ ପ୍ରସାଦ ପରିଡା ମଧ୍ୟ ସହଯୋଗ କରିଥିଲେ ।ସାଧାରଣତଃ ଗ୍ରାମାଞ୍ଚଳରେ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ଓ ପୌରାଞ୍ଚଳରେ ଅଙ୍ଗନଓ୍ବାଡି କର୍ମୀ, ଟ୍ୟାକ୍ସ କଲେକ୍ଟର ଓ ଓ୍ବାର୍ଡ ଅଫିସର ମାନଙ୍କୁ ଆନୁମରେଟର ଭାବେ ନିୟୋଜିତ କରାଯିବ । ସେହିଭଳି ଗ୍ରାମାଞ୍ଚଳରେ ଆଇ.ସି.ଡି.ଏସ୍. ସୁପରଭାଇଜର୍, ମାର୍କେଟିଂ ଇନିସ୍ପେକ୍ଟର, ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ପ୍ରୋଗ୍ରେସ୍ ଆସିଷ୍ଟାଣ୍ଟ, ଓ୍ବେଲଫେୟାର ଏକ୍ସଟେନସନ୍ ଅଫିସର ଓ ବ୍ଲକ୍ ସୋସିଆଲ ସିକ୍ୟୁରିଟି ଅଫିସର ମାନଙ୍କୁ ଏବଂ ପୌରାଞ୍ଚଳରେ ଆଇ.ସି.ଡି.ଏସ୍. ସୁପରଭାଇଜର୍, ମାର୍କେଟିଂ ଇନିସ୍ପେକ୍ଟର, ଜୋନ୍ ଅଫିସର ମାନଙ୍କୁ ସୁପରଭାଇଜର୍ ରୂପେ ନିୟୋଜିତ କରାଯିବା ସହ ପ୍ରତ୍ୟେକ ସୁପରଭାଇଜରଙ୍କ ଅଧୀନରେ ସର୍ବାଧିକ ୧୦ ଜଣ ଏନୁମରେଟର୍ କାର୍ଯ୍ୟ କରିବେ ।ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ୍ ନେଇଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ