ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା ବୋଲି ଓଡିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଗୌରବ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡିଶା ରାଜନୀତି ଇତିହାସରେ ତଥା ଭାରତୀୟ ରାଜନୀତିରେ ଓଡିଶାର ନାଁ ବଢେଇଥିବା ଜଣେ ବ୍ୟକ୍ତିତ୍ୱ । ଆଜି ତାଙ୍କ ଜୟନ୍ତୀରେ ସମସ୍ତେ ତାଙ୍କୁ ମନେପକାଇବାର ଆବଶ୍ୟକତା ଅଛି ।ଶ୍ରୀ ପ୍ରଧାନ କହିଛନ୍ତି ଲମ୍ବା ସମୟର ପ୍ରତିନିଧି ଭାବେ ରାଜ୍ୟ ଓ ଦେଶକୁ ନେତୃତ୍ୱ କରୁଥିବାର ବ୍ୟକ୍ତିତ୍ୱ ଥିଲେ ଶ୍ରୀମତୀ ଶତପଥୀ । ଆଜିର ଦିନରେ ମଧ୍ୟ ତାଙ୍କ ଅଂଚଳରେ ବୁଲିଲେ କିମ୍ବା ରାଜ୍ୟର ବିଶେଷ କିଛି ଘଟଣାକୁ ମନେପକାଇଲେ ନନ୍ଦିନୀ ଦେବୀଙ୍କର ପ୍ରଶାସନିକ ଦକ୍ଷତାକୁ ମନେପକାଇବା ପାଇଁ ସମସ୍ତେ ବାଧ୍ୟ ହୁଅନ୍ତି । ଶ୍ରୀମତି ନନ୍ଦିନୀ ଦେବୀଙ୍କ ଆଦର୍ଶ ସମସ୍ତଙ୍କୁ ଲମ୍ବା ସମୟ ପାଇଁ ସାମାଜିକ କାମରେ ପ୍ରେରଣା ଦେଉ,
ଏହା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ରାଜନୀତି ଓ ସାମାଜିକ ଜୀବନରେ କାମ କରୁଥିବା ନୂଆପିଢୀର ଲୋକମାନଙ୍କ ପାଇଁ ନନ୍ଦିନୀ ଦେବୀଙ୍କ ଆଦର୍ଶ ପ୍ରେରଣା ହୋଇରହିବ ।