ଓଡିଶାର ବିନା ନେତୃତ୍ୱରେ ଭାରତ ସମୃଦ୍ଧଶାଳୀ ହେବା ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ
ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ । କିନ୍ତୁ ଓଡିଶାର ବିନା ନେତୃତ୍ୱରେ ପୂର୍ବ ଭାରତ ସମୃଦ୍ଧଶାଳୀ ହେବାର କଳ୍ପନା କରାଯାଇପାରିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶାର ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପାଣି, ଜଙ୍ଗଲ ସମ୍ପଦ, କୁଶଳୀ ଓଡିଆ ଦୁଃସାହସୀ ଯୁବକ ଅଛି । ଏହି ଦୁଃସାହସୀ ଯୁବକ ପୂର୍ବକାଳରେ କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲା । ଆଜି ଏକବିଂଶ ଶତାବ୍ଦିରେ ଭାରତବର୍ଷର ଅର୍ଥନୀତିକୁ ନେତୃତ୍ୱ ନେବାର ଦାୟିତ୍ୱ ଓଡିଶାର ଅଛି । ତେଣୁ ଓଡିଶାକୁ ଏକ ସମୃ୍ଦ୍ଧଶାଳୀ ରାଜ୍ୟ ଭାବେ ତିଆରି କରିବାକୁ ପଡିବ ଏବଂ ଏଥିପାଇଁ ସମସ୍ତଙ୍କୁ ଏକାଠୀ ହେବାକୁ ପଡିବ ।