ଓଡିଶାର ୪ଟି ପୌରପାଳିକା ମଧ୍ୟରେ ବାରିପଦା ସହର ଯୋଜନାରେ ଅନ୍ତର୍ଭୁକ୍ତ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ମଧ୍ଯପ୍ରଦେଶର ରାଇସେନ ଠାରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା ନକ୍ସା କୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ଯପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି. ଏହି ଅବସରରେ ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେ. ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ବାରିପଦାର ଅତିରିକ୍ତ ତହସିଲଦାର ଭରତ ଚନ୍ଦ୍ର ପାତ୍ର, ପୌରପାଳିକାର ଉପାଧ୍ୟକ୍ଷା ସୀମା ଦାସ ପ୍ରମୁଖ ଯୋଗ ଦେଇଥିଲେ. ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନଗରପାଳ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ. ପ୍ରଥମ ପର୍ଯ୍ୟାୟରେ ଦେଶର ୧୫୦ ଟି ସହରରେ ଏହି ଯୋଜନା କାଯ୍ୟକାରୀ ହେବ ଏବଂ ଓଡିଶାର ୪ଟି ପୌରପାଳିକା ମଧ୍ୟରୁ ବାରିପଦା ପୌରପାଳିକା ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛି. ଶେଷରେ ଉପାଧ୍ୟକ୍ଷା ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ.