ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସମାରୋହ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଆଜି ପୂର୍ବାହ୍ନ ସମୟରେ କୋଣାର୍କ ଥାନା ଅଧୀନସ୍ଥ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁଞ୍ଜ ଗ୍ରାମ ଠାରେ ବ୍ଲକସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହର ଶୁଭାରମ୍ଭ କରିଥିଲେ । ଏହି ବିଦ୍ୟାଳୟ ସ୍ଥାପନ ହେବା ଦ୍ବାରା କୋଣାର୍କ ଓ କାକଟପୁର ବ୍ଲକର ଶତାଧିକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ପ୍ରାୟ ୭କୋଟି ଟଙ୍କା ବ୍ୟୟ ବରାଦ କରାଯିବା ସହ ଏଜେନ୍ସି ଚୟନ କାର୍ଯ୍ୟ ଶେଷ ହୋଇଛି । ଯୁଦ୍ଧ କାଳୀନ ଭିତ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିମାପଡ଼ା ଗ୍ରାମ୍ଯଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପାଢୀ ପ୍ରକାଶ କରିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ଯା କାମିନୀ ବିଶ୍ବାଳ, କୁରୁଜଙ୍ଗ ସରପଞ୍ଚ ନିଗମାନନ୍ଦ ପରିଡା ଓ ସୁକାନ୍ତି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସହକାରୀ ଯନ୍ତ୍ରୀ ଚିନ୍ତାମଣି ସେଠୀ ଓ ବାଙ୍ଗୁରିଗାଁ ଗ୍ରାମ୍ଯ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।