ଓଡିଶା କନଷ୍ଟ୍ରକ୍‌ସନ ୱାର୍କରସ ୟୁନିୟନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ରିଲଫ ସହାୟତା ଦାବି

କେନ୍ଦ୍ରପଡା, ( ଚିତ୍ତରଂଜନ ଦାସ) ଗତ ଫେବୃୟାରୀ ମାସରେ ଯେତେବେଳେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଆମ ରାଜ୍ୟରେ ତାଲା ବନ୍ଦ ଯୋଗୁଁ ବନ୍ଦହୋଇଯାଇଥିଲା ସେହି ସମୟରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟରେ ୨୨ ଲକ୍ଷ ନିର୍ମାଣ ଶ୍ରମିକ ମାନଙ୍କୁ ୧୫ଶହ ଟଙ୍କା ଲେଖାଁଏ ସ୍ୱତନ୍ତ୍ର ରିଲିଫ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରିଥିଲେ । ସେହି ଅନୁଯାଇ ଆମ କେନ୍ଦ୍ରାପଡା ଜିଲ୍ଲାରେ ୯୫ ହଜାର ୪ ଶହ ଜଣ ନିର୍ମାଣ ଶ୍ରମିକଙ୍କୁ ଏହି ସ୍ୱତନ୍ତ୍ର ରିଲଫ ସହାୟତା ପ୍ରଦାନ କରାଯିବା ପାଇଁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥିରିକୃତ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ ମତେ ଉପରୋକ୍ତ ସଂଖ୍ୟକ ନିର୍ମାଣ ଶ୍ରମିକମାନଙ୍କ ନାମ ଓ ସହାୟତା ଅର୍ଥ ସଂପୃକ୍ତ ବ୍ଲକ ଗୁଡିକୁ ପ୍ରଦାନ କରାଯାଇ ପ୍ରତ୍ୟେକ ପଂଚାୟତର ଗ୍ରାମଗୁଡିକରେ ବାସ କରୁଥିବା ନିର୍ମାଣ ଶ୍ରମିକ ମାନଙ୍କୁ ବଂଟନ ଆରମ୍ଭ କରାଗଲା । ଆମ ଜିଲ୍ଲାର ୯୫ ହଜାର ୪ଶହ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୭୦ ହଜାର ନିର୍ମାଣ ଶ୍ରମିକଙ୍କୁ ଏହି ସ୍ୱତନ୍ତ୍ର ରିଲଫ ସହାୟତା ଅର୍ଥ ବଂଟନ କରାଯାଇଥିବା ବ୍ଲକର ବି.ଡି.ଓମାନଙ୍କ ସୂତ୍ରରୁ ଜଣାପଡିଛି । କିନ୍ତୁ ଅବଶିଷ୍ଟ ପ୍ରାୟ ୨୫ ହଜାର ନିର୍ମାଣ ଶ୍ରମିକଙ୍କୁ ସହାୟତା ଅର୍ଥ ପ୍ରଦାନ କରାଗଲା ନାହିଁ । ଶ୍ରମିକ ସଂଗଠନ ଗୁଡିକ ଏ ସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ ନ ହେବା ଫଳରେ ବାଧ୍ୟ ହୋଇ ଓଡିଶା କନଷ୍ଟ୍ରକ୍‌ସନ ୱାର୍କରସ ୟୁନିୟନ ଓ ଅନ୍ୟ ୟୁନିୟନ ଗୁଡିକ ମିଳିତ ଭାବେ ଏବଂ ଏକକ ଭାବେ ଜିଲ୍ଲା ଶ୍ରମ ଅଫିସ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ତଥା ପ୍ରଭାଗୀୟ ମୁଖ୍ୟ ଗତ ଜାନୁୟାରୀ ୧୫ ତାରିଖ ସୁଦ୍ଧା ଏହି ବକେୟା ଅର୍ଥକୁ ପାଇ ନଥିବା ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ବଂଟନ କରାଯିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ମାର୍ଚ୍ଚ ମାସ ୧ ତାରିଖରେ ଶ୍ରମ ଅଧିକାରୀ ଓ ବି.ଡି.ଓମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କି ବଳକା ଅର୍ଥ ଫେରାଇ ନଥିବାରୁ ଏହି ସ୍ୱତନ୍ତ୍ର ସହାୟତା ଅର୍ଥ ପାଇନଥିବା ନିର୍ମାଣ ଶ୍ରମିକଙ୍କୁ ଦିଆଯାଇ ପାରିବ ନାହିଁ ବୋଲି ଜଣାଇଛନ୍ତି । ଅତ୍ୟନ୍ତ ଦୁଃଖର ବିଷୟ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ରିଲିଫ ସହାୟତା ଅର୍ଥ ଶ୍ରମିକମାନେ ପାଇପାରିବେ ନାହିଁ । ଏହା ଅତ୍ୟନ୍ତ ମାନବିକତା ବିରୋଧୀ ପଦକ୍ଷେପ । ଓଡିଶା କନ୍‌ଷ୍ଟ୍ରକ୍‌ସନ ୱାର୍କରସ୍ ୟୁନିୟନ ନିର୍ମାଣ ଶ୍ରମିକମାନଙ୍କ ରିଲଫ ସହାୟତା ଅର୍ଥ ହଡପ ଘଟଣାକୁ ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ଶେଷ ଥର ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିବେଦନ କରୁଛି ଯେ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ । ନଚେତ୍ ଶ୍ରମିକ ସଂଗଠନ ଗୁଡିକ ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ସମ୍ପାଦକ ଅଜିତ କୁମାର ପରିଡା, ଉପ ସଭାପତି ଜଗତ ଜୀବନ ଦାଶ, ମାଧବ ଦାସ, ରବି ମାହାବୁତ , ଅସୀତ ମୀଦ୍ଧା, ଧନେଶ୍ୱର ରାଉତ , ସୁଶାନ୍ତ ଦାସ, କରୁଣା କର ମାଝୀ, ଅଜୟ କୁମାର ରାଉତ, ମାଳତୀ ସୁତାର, ରମେଶ ମଳିକ, ସ୍ନେହଲତା ଗାହାଣ, ସୁଶାନ୍ତ ପଣ୍ଡା, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ସହ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ