ଓଡିଶା କ୍ଷେତମଜଦୁର ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସିଆଇଟିୟୁ, ଓଡିଶା କୃଷକ ସଭା ଓ ଓଡିଶା କ୍ଷେତମଜଦୁର ୟୁନିଅନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଆକାଶଛୁଆଁ ଦରବୃଦ୍ଧିକୁ ରୋକିବା, ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସଟି ମୁକ୍ତ କରିବା, ବେକାରଙ୍କୁ ନିଯୁକ୍ତି ଦେବା, ଠିକା ଓ ଆଉଟସୋର୍ସିଂ ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କରିବା, କୃଷିଋଣ ଛାଡ କରିବା, ସରକାରୀ ଉଦ୍ୟୋଗକୁ ଘରୋଇ କମ୍ପାନୀ ହାତରେ ଟେକି ଦେବାକୁ ବନ୍ଦ କରିବା, ଚାରିଟି ଶ୍ରମ କୋର୍ଡ ବାତିଲ କରି ୪୪ଟି ଶ୍ରମ ଆଇନର ପୁନଃ ପ୍ରଚଳନ କରିବା, ବିଦ୍ୟୁତ ବିଲ- ୨୦୨୦କୁ ପ୍ରତ୍ୟାହାର କରିବା, ବାସହୀନମାନଙ୍କୁ ଘରଡିହ ଓ ବାସଗୃହ ଯୋଗାଇ ଦେବା, ମନରେଗା ଯୋଜନାରେ ବର୍ଷକୁ ୨ଶହ ଦିନର କାମ ଓ ଦୈନିକ ମଜୁରୀ ୭ଶହ ଟଙ୍କା ଦେବା ପ୍ରଭୃତି ଦାବିରେ ଏକ ପଟୁଆର ସ୍ଥାନୀୟ ପୈାରସଂସ୍ଥା କାର୍ଯ୍ୟାଳୟ ନିକଟରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଆଇନ ଅମାନ୍ୟ ହୋଇଥିଲା । ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ରାଜ୍ୟ ସରକାରୀ କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ, ଓସିଡବ୍ଲୁ ନେତା ଧନେଶ୍ୱର ରାଉତ, କ୍ଷେତମଜଦୁର ୟୁନିଅନର ଜିଲ୍ଲା ଆବାହକ ଭୀମସେନ ବେହେରା, କୃଷକନେତା ଦାଶରଥି ସାହୁ, ଅକ୍ରୁର ପଲେଇ, ଶ୍ରମିକ ନେତା ବିନୟ ଭୂଷଣ ମଲିକ, ମାନଭଞ୍ଜନ ଷଡଙ୍ଗୀ, ଯୁବନେତା ଦୁଷ୍ମନ୍ତ କୁମାର ଦାସ, ଛାତ୍ରନେତା ମାନସ ବେହୁରା ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ । ଏହି ଆଇନ ଅମାନ୍ୟ ଆନ୍ଦୋଳନରେ ପୋଲିସ କାହାରିକୁ ଗିରଫ କରିନଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ