ଓଡିଶା ଖଣି ବିଭାଗର ନୀତି ନିୟମକୁ ଉଲ୍ଲଙ୍ଘନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଡିଶା ଖଣି ବିଭାଗର ନୀତି ନିୟମକୁ ଗଜପତି ଜିଲ୍ଲାରେ ଖୋଲାଖୋଲି ଭାବେ ଉଲ୍ଲଘନ କରାଯାଉଥିବା ଲକ୍ଷ୍ୟ କରାଯାଇଛି. ଖଣି ବିଭାଗର ନିୟମ ଅନୁଯାଇ ଯେକୌଣସି ପଥର ଉତ୍ତୋଳନ ପୂର୍ଵରୁ ଖଣି ବିଭାଗର ଅନୁମତି ନେବା ନିୟମରେ ରହିଛି. ହେଲେ ଏହାକୁ ଅମାନ୍ୟ କରି ଗଜପତି ଜିଲ୍ଲାର କେତେକ ସ୍ଥାନରେ ବେଆଇନ ପଥର ଉତ୍ତୋଳନ କରାଯାଉଛି. ବର୍ତ୍ତମାନ ଏକ ବେଆଇନ ପଥର ଉତ୍ତୋଳନ ନେଇ ଅଭିଯୋଗ ଆସିବା ପରେ ଗଜପତି ଜିଲ୍ଲାର ଖଣି ବିଭାଗ ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ପଥର ଉତ୍ତୋଳନକୁ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ଜେସିବି ମେସିନ ସହ ଉତ୍ତୋଳନ କରାଯାଇଥିବା ପଥର ଗୁଡିକୁ ଘଟଣା ସ୍ଥଳରେ ଖଣି ବିଭାଗ ଜବତ କରିଥିଲେ. ହେଲେ ଜବତର କିଛି ଘଣ୍ଟା ପରେ ବେଆଇନ ପଥର ଉତ୍ତୋଳନ କରୁଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଜେସିବି ମେସିନକୁ ଜବରଦସ୍ତ ଉଠାଇ ନେଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଲିଙ୍ଗିପୁର-କାମଧେନୁ ରାସ୍ତାରେ ଥିବା ଏକ ଛୋଟିଆ ପଥର ପାହାଡରୁ ବେଆଇନ ଭାବେ ପଥର ଉତ୍ତୋଳନ କରୁଥିବାକୁ ନେଇ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଯାହାକୁ ନେଇ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ଗୁରାଣ୍ଡି ଥାନାକୁ ଫୋନ ଯୋଗେ ଜଣାଇଥିଲେ । ଏହାପରେ ଉଭୟ ଖଣି ବିଭାଗ ଓ ଗୁରାଣ୍ଡି ପୋଲିସ ପଥର ଉତ୍ତୋଳନ ସ୍ଥାନକୁ ଯାଇ ନିରୀକ୍ଷଣ କରି ବେଆଇନ ପଥର ଉତ୍ତୋଳନକୁ ବନ୍ଦ କରିବା ସହ ଉତ୍ତୋଳନ କରାଯାଇଥିବା ପଥର ସହ ଏଥିରେ ବ୍ୟବହୃତ ଜେସିବି ମେସିନକୁ ଜବତ କରିଥିଲେ.ହେଲେ ଏହାର କିଛି ଘଣ୍ଟା ପରେ ଘଟଣା ସ୍ଥଳରୁ ଜେସିବି ମେସିନକୁ ବେଆଇନ ପଥର ଉତ୍ତୋଳନ କରୁଥିବା ବ୍ୟକ୍ତି ଉଭାନ କରିଦେଇଛନ୍ତି. ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିଯେ ଖଣି ଅଧିକାରୀ ଘଟଣା ସ୍ଥଳରୁ ଚଢ଼ାଉ କରି ଆବଶକ୍ୟ ପଦକ୍ଷେପ ନେବା ପରେ ସୁଦ୍ଧା ପଥର ବେଆଇନ ଖନନ କରୁଥିବା ବ୍ୟକ୍ତି ଜେସିବି ମେସିନ ମାଲିକ ଖଣି ଅଧିକାରୀଙ୍କ ନିର୍ଦ୍ଦେଶ ନାମାକୁ ଖାତିର ନ କରି ଜେସିବି ମେସିନ ବେଆଇନ ପଥର ଖନନ ସ୍ଥାନରୁ ନେଇଯାଇଥିବାର ଜଣାପଡିଛି । ଏନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଖଣି ଅଧକାରୀ ଦିପେନ ପରିଡାଙ୍କୁ ପଚାରିବାରେ କହିଛନ୍ତି ଯେ, ତିନି ଦିନ ଛୁଟି ପଡିଥିବାରୁ ଆବଶକ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ. ହେଲେ ଆବଶକ୍ୟ ପଦକ୍ଷେପ ସହ ବିହିତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ. ସମ୍ପୃକ୍ତ ଘଟଣା ନେଇ ୫ ଲକ୍ଷ ଟଙ୍କାର ଜରିମାନା ନିଷ୍ପତ୍ତି ହୋଇଛି. ଏଥିସହ ଖଣି ବିଭାଗର ନିୟମ ଅନୁଯାଇ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ. ଅପରପକ୍ଷରେ ଗୁରାଣ୍ଡି ଥାନାରେ ଖଣି ଅଧିକାରୀ କୌଣସି ଲିଖିତ ଅଭିଯୋଗ କରି ନଥିବାରୁ ଥାନା ପକ୍ଷରୁ ମଧ୍ୟ ଉକ୍ତ ଜେସିବି ମେସିନ ମାଲିକ କିମ୍ବା ଜେସିବି ମେସିନକୁ ଜବତ କରାଯାଇ ପାରିନଥିବାର ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ କହିଛନ୍ତି । ଘଟଣାକୁ ନେଇ ପ୍ରାୟ ୭ ଦିନ ବିତିବାକୁ ଯାଉଛି. ତଥାପି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ନଥିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି. ସମ୍ପୃକ୍ତ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି. ତେଣୁ ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବିଳମ୍ବ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପଥର ମାଫିଆ ମାନେ କୌଣସି ମତେ ସରକାରଙ୍କ ନିୟମକୁ ଉଲଂଘନ କରି ଖସିଯାଇପାରନ୍ତି । ଯାହା ଦ୍ବାରା ସରକାରଙ୍କ ରାଜସ୍ବ ସହ ପଥର ଖଣି ଖାଦାନ ଖାଲି ହୋଇପଡିବ.