ଓଡିଶା ଡ୍ରାଇଭର ସଂଘର ନିଆରା ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ଡ୍ରାଇଭର ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ୯ ଦଫା ସମ୍ବଳିତ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଓଡିଶା ଡ୍ରାଇଭର ମହାସଂଘ ଗଞ୍ଜାମ ଜିଲ୍ଲାର ସଦସ୍ୟ ମାନେ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଦଣ୍ଡୁଆ ମାନଙ୍କ ଭଳି ଶୋଇ ପ୍ରତିବାଦ କରିବା ସହ ନିଜର ଦାବି ଗୁଡିକ ଯଥାଶୀଘ୍ର ପୂରଣ କରିବା ପାଇଁ ହୋହାଲ୍ଲା କରିଥିଲେ । ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଡ୍ରାଇଭର ମାନେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରୁ ଜୟ ଜଗନ୍ନାଥ ଡାକ ଦେଇ ଦଣ୍ଡୁଆ ମାନଙ୍କ ଭଳି ହାତ ଯୋଡି ରାସ୍ତାରେ ଶୋଇ ଶୋଇ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ତଳେ ଶୋଇ ରାସ୍ତା ହାତ ଯୋଡି ନିଜ ଦାବି ଗୁଡିକ ପୂରଣ କରିବା ପାଇଁ ନେହୁରା ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର ମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବା, ୫୫ ବର୍ଷ ପରେ ପେନସନ୍ ପ୍ରଦାନ କରାଯିବା, ଜନ ସାଧାରଣଙ୍କ ଆକ୍ରୋସରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତି ୧୦୦ ମିଟର ଅନ୍ତରରେ କରାଯିବା, ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ ନ କରାଯିବା, ଡ୍ରାଇଭରମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଡ୍ରାଇଭର ମାନଙ୍କ ପିଲା ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯିବା, ଲାଇସେନ୍ସ ପାଇଁ ଯେଉଁ ୧୫ ହଜାର ଟଙ୍କା ସରକାର ରଖିଛନ୍ତି ତାକୁ ହଟାଯାଉ କମ ମୁଲ୍ୟାଙ୍କନ ଧାର୍ଯ୍ୟ କରାଯାଉ, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ପ୍ରଦାନ କରାଯିବା ଭଳି ୯ ଦଫା ସମ୍ବଳିତ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଙ୍କୁ ପ୍ରଦାନ କରିଛନ୍ତି । ପୁର୍ବରୁ ସେମାନେ ଦୀର୍ଘ ଦିନ ଧରି ସେମାନଙ୍କ ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବି ଗୁଡିକ କେହି ଶୁଣୁନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ବୋଲି କହିଛନ୍ତି ସଂଘର ସଦସ୍ୟ ମାନେ । ସେମାନଙ୍କ ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ଗଂଜାମ ଜିଲ୍ଲା ସଭାପତି ବାବୁ ଖାନ୍ , ଜିଲ୍ଲା ସମ୍ପାଦକ ବବୁଲ ବିଶ୍ୱାଳ, ଉପଦେଷ୍ଟା ସୁରେଶ କୁମାର ସିଂ, ରମ୍ଭା ବ୍ଲକ ସଭାପତି ପ୍ରଫୁଲ ତରେଇଙ୍କ ସମେତ ୪ଶହରୁ ଉର୍ଦ୍ଧ୍ୱ ଡ୍ରାଇଭର ମାନେ ଉପସ୍ଥିତ ଥିଲେ ।