ଓଡିଶା ପାଇଁ ଗର୍ବ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ
ପୋଲସରା, (ଅନିଲ କୁମାର ମହାରଣା):ଓଡିଶାରେ ଶିକ୍ଷା କ୍ଷେତ୍ରରେ ଆସିଛି ବୈପ୍ଳବିକ ପରିବର୍ତ୍ତନ। ପ୍ରତି ବ୍ଲକରେ ପ୍ରତିଷ୍ଠା ହୋଇଛି ଓଡିଶା ଆଦର୍ଶ ବିଦ୍ୟାଳୟ। ନବୀକରଣ ହୋଇ, ସୃଷ୍ଟି ହୋଇଛି ସ୍ମାର୍ଟ କ୍ଳାସ ହାଇ ସ୍କୁଲ। କମ୍ପୁଟର ଶିକ୍ଷା, ଆଦର୍ଶ ପାଠାଗାର, ଆଧୁନିକ ବିଜ୍ଞାନ ପରୀକ୍ଷା ଯନ୍ତ୍ରପାତି ସହ ଆକର୍ଷଣୀୟ ବିଦ୍ୟାଳୟ ପରିସର ଓ କ୍ରୀଡ଼ାର ଉନ୍ନତି ପାଇଁ ଖେଳ ପଡିଆ ଯୋଗୁଁ ଛାତ୍ରଛାତ୍ରୀ ବୃନ୍ଦ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଶିକ୍ଷା ଦାନ ଓ ଶିକ୍ଷା ଗ୍ରହଣରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ଯାହା ଫଳରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ ଗୋଟି ବିଦ୍ୟାଳୟ ମଧ୍ୟରେ ରହିଅଛି ଓଡ଼ିଶାର ଦୁଇଟି ସରକାରୀ ବିଦ୍ୟାଳୟ। ଏଜୁକେସନ ୱାର୍ଲଡ଼ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ ୨୦୨୨ ପ୍ରକାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବଭାରତୀୟ ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲା ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଅନ୍ତେବାସୀ ବିଦ୍ୟାଳୟ ଭାବଡ଼ ଦଶମ ସ୍ଥାନରେ ରହିଅଛି। ଶିକ୍ଷା କ୍ଷେତ୍ରରେ ଓଡିଶା ପାଇଁ ଗୌରବ ଆଣିଥିବା ହାତୀଓଟ ଓ ପଥରଚେପା ଓଏଭି ର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଦୁଇ ବିଦ୍ୟାଳୟକୁ ଶୁଭେଚ୍ଛା ଜଣାଯାଇଛି। ହାତୀଓଟ ଆଦର୍ଶ ବିଦ୍ୟାଳୟ ଲଗାତର ତିନି ବର୍ଷ ଧରି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ ଗୋଟି ବିଦ୍ୟାଳୟ ମଧ୍ୟରେ ରହିଆସୁଅଛି। ହାତୀଓଟ ହେଉଛି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିଜ ଗ୍ରାମ। ମନ୍ତ୍ରୀ ଶ୍ରୀ ସାହୁ ବିଧାୟକ ଥିବା ସମୟରୁହିଁ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆସୁଛନ୍ତି। ମନ୍ତ୍ରୀଙ୍କ ସହଯୋଗ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଓ କର୍ମଚାରୀ ମାନଙ୍କ କର୍ମତପ୍ତରତା ଯୋଗୁଁ ଲଗାତର ତିନି ବର୍ଷ ଧରି ହାତୀଓଟ ଓଏଭି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇପାରିଛି। ଓଏଭିର ଏହି ଗୌରବ ପାଇଁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗୁରୁବାର ଦିନ ବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ସରକାରୀ ବିଦ୍ୟାଳୟ ପାଇଁ ହାତୀଓଟ ଓଏଭି ଉଦାହରଣ ସୃଷ୍ଟି କରିଛି।


