ଓଡିଶା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବରପଦାସ୍ଥିତ ସରସ୍ୱତୀ ବିହାର ଠାରେ ଓଡିଶା ବ୍ରାହ୍ମଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶାର ଶତାଧିକ ପଦାଧିକାରୀ ଏବଂ ବ୍ରାହ୍ମଣ ମାନେ ଯୋଗ ଦେଇଥିଲେ । ଏଥିରେ ବ୍ରାହ୍ମଣଙ୍କ କଲ୍ୟାଣ ନିମନ୍ତେ ଅନେକ ବିଷୟ ମାନ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଜିଲାର ବିଧାୟକଙ୍କ ଜରିଆରେ ବିଧାନସଭାରେ ଏକ ଦାବୀ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ଜିଲାରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା । ଭାରତର ବିଭିନ୍ନ ରାଜ୍ୟରେ ବ୍ରାହ୍ମଣ ମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସୁବିଧା ସୁଯୋଗ ଥିବା ବେଳେ ସେଠାରେ ପୁରୋହିତ ମାନେ ଉପକୃତ ହେଉଛନ୍ତି । ମାତ୍ର ଓଡିଶାରେ ବ୍ରାହ୍ମଣ ଓ ପୂଜାରୀ ମାନଙ୍କ ପାଇଁ ଓଡିଶା ସରକାର କୌଣସି ସୁବିଧା ସୁଯୋଗ ପ୍ରଦାନ କରୁନାହାନ୍ତି । ଓଡିଶା ସରକାର ବ୍ରାହ୍ମଣଙ୍କ କଲ୍ୟାଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ରାହ୍ମଣ ସମାଜ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା ।


