ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ଏକ ତିନିଜଣିଆ ଟିମ୍ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରି ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟାନ୍ୱୟନ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଧେ ଏହି ଟିମକୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ଖାଦ୍ୟ ସୁରକ୍ଷାର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆୟୋଗର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମେର୍କାପ, ସଦସ୍ୟା ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ସମରେନ୍ଦ୍ର ଷଡଙ୍ଗୀ ଏହି ଗସ୍ତରେ ସାମିଲ ଥିବା ବେଳେ ଅଧ୍ୟକ୍ଷ ଶ୍ରୀ ମେର୍କାପ ତାଙ୍କ ଜିଲ୍ଲା ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲାର ପ୍ରାୟ ୭୯ ପ୍ରତିଶତ ଅଧିବାସୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଜନସାଧାରଣ ଠିକ୍ ସମୟରେ ଖାଦ୍ୟସାମଗ୍ରୀ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଆୟୋଗ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଅନୁରୂପ ଭାବେ ସମନ୍ୱିତ ଶିଶୁ ବିକାଶ ଯୋଜନା, ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିଚାଳନା, ପୋଷଣ ଅଭିଯାନ, ମମତା ଯୋଜନା ଓ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ପ୍ରଦାନର ସ୍ଥିତି ଇତ୍ୟାଦି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ସଚେତନ କରିବା, କିନ୍ନରମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବା, ଅପପୁଷ୍ଟି ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବା, ସ୍କୁଲମାନଙ୍କରେ ଜାତୀୟ ଆଇରନଯୁକ୍ତ ଉପକ୍ରମକୁ କାର୍ଯ୍ୟକାରୀ କରିବା, ସାଧାରଣ ବଂଟନ ବ୍ୟବସ୍ଥାରେ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ନେଇଥିବା କାର୍ଯ୍ୟାନୁଷ୍ଠାନ, ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ଇତ୍ୟାଦି ସମ୍ପର୍କରେ ବୈଠକରେ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ । କୋଭିଡ୍ ପରବର୍ତୀ ସମୟରେ ଏବେ ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ଆୟୋଗର ଅଧ୍ୟକ୍ଷ ଶ୍ରୀ ମେର୍କାପ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଏକ ପୁସ୍ତିକାକୁ ସେ ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଷ୍ଣୁଚରଣ ସୂତାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁନ୍ତଳା କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଆୟୋଗର ଏହି ଟିମ୍ କ୍ଷେତ୍ର ପରିଦର୍ଶନରେ ଯାଇ ଜିଲ୍ଲାର ସଦର, ରେମୁଣା ଓ ନୀଳଗିରି ବ୍ଲକର କିଛି ଅଂଚଳ ବୁଲିବା ସହିତ ଅଙ୍ଗନୱାଡି କେନ୍ଦ୍ର, ପୁଷ୍ଟି ପୁନର୍ବାସ କେନ୍ଦ୍ର ଓ ସରକାରୀ ସୁଲଭ ମୂଲ୍ୟ ଦୋକାନ ଇତ୍ୟାଦି ଯାଂଚ କରିଥିଲେ ।