ଓଡିଶା ରାଜ୍ୟ ବିପର୍ଯ୍ୟୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ଦିବସ-୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା଼. ଅନୀତା ପଟ୍ଟନାୟକ, ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପି.କେ ମହାପାତ୍ର, ସହକାରୀ ଜିଲ୍ଲାପାଳ ଜୟନ୍ତ କୁମାର ରାଉତରାୟ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସହକାରୀ ଅଗ୍ନିଶମ ଅଧିକାରୀ ନରେନ ମହାନ୍ତି, ନେଚର୍ସ କ୍ଲବ ସଭାପତି ବିରଜା ପ୍ରସାଦ ପତି, ରେସୱା ଓ ଭାରତ ସ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, କେନ୍ଦ୍ରାପଡା ସରକାରୀ ହାଇସ୍କୁଲ, ଭାରତୀ ବିଦ୍ୟା ମନ୍ଦିର, ସରସ୍ୱତୀ ବିଦ୍ୟା ମନ୍ଦିର ଓ ଆଇଡିଆଲ ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷିକା ପ୍ରମୁଖ ଯୋଗଦେଇ ଆସନ୍ତା୨୯ତାରିଖରେ ପାଳନ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ଦିବସକୁ ପାଳନ କରିବା ନିମନ୍ତେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ବୈଠକରେ ଯୋଗଦେଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍କୁଲର ଶିକ୍ଷକ ଓ ସ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଜଣାଇବା ସହ ଦିବସ ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିବା ଓ ଧନ ଜୀବନ ସୁରକ୍ଷା ନିମନ୍ତେ ତୃଣମୂଳସ୍ତରରୁ ସଚେତନତାର ଆବଶ୍ୟକତା ରହିଛି ଓ ଏଥି ନିମନ୍ତେ ଜନ ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନର ବଳିଷ୍ଠ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜନସଚେତନତା ସୃଷ୍ଟି ପାଇଁ ଅକ୍ଟୋବର ୨୯ତାରିଖ ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର ସଭ୍ୟ/ସଭ୍ୟାମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାର କରାଯିବା ପାଇଁ ନିଷ୍ପତ୍ତିି ଗ୍ରହଣ କରାଯାଇଛି । ଏହା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ଓ ଜୀବନ ରକ୍ଷା ସମ୍ପର୍କରେ ମକ୍ଡ୍ରିଲ କରାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଟିକା ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଶେଷରେ ଜରୁରୀ କାଳୀନ ଅଧିକାରୀ ଜୟନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ.