ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ପ୍ରତୀକ୍ଷା-୧ ଶିବିରର ଉଦ୍‌ଯାପନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୧୩ତାରିଖରୁ ଆରମ୍ଭ ହୋଇଥିବା ପ୍ରତୀକ୍ଷା-୧ ଶିବିର ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମାଧ୍ୟମରେ ଉଦ୍‌ଯାପନ ହୋଇଯାଇଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍କାଉଟ୍‌ର ଉପସଭାପତି ତଥା କେନ୍ଦ୍ରୀୟ ପ୍ରଶାସନିକ ପ୍ରାଧିକରଣର ସେବା ନିବୃତ୍ତ ଉପାଧ୍ୟକ୍ଷ ନାୟମୂତ୍ତୀ ମନୋରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କର ବ୍ୟକ୍ତିତ୍ୱ ଏବଂ ପାଠପଢ଼ା ଉପରେ କିପରି ସୁପ୍ରବାହ ପକାଇଥାଏ, ତା’ର ବର୍ଣ୍ଣନା କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ମିଶ୍ର କରୋନାର ପରବର୍ତ୍ତୀ କାଳରେ ଏହି ଶିବିର ପିଲାମାନଙ୍କ ନିମନ୍ତେ କିପରି ଏକ ମାର୍ଗଦର୍ଶକ ଭାବରେ କାମ କରିପାରିବ ତା’ର ରୂପରେଖ ପ୍ରସ୍ତୁତି ବିଷୟରେ ବ୍ୟାଖ୍ୟା କରିଥିଲେ । ଏହି ଶିବିରରେ ଓଡ଼ିଶାର ୧୩ଟି ଜିଲ୍ଲା ଯଥା ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା, ଗଂଜାମ, ପୁରୀ, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୋନପୁର, ନବରଙ୍ଗପୁର, ବରଗଡ଼, ଭୁବନେଶ୍ୱର ଓ ମୟୂରଭଞ୍ଜରୁ ୫୨୩ଜଣ ସ୍କାଉଟ୍‌, ଗାଇଡ଼୍‌, ସ୍କାଉଟ୍ ମାଷ୍ଟର ଓ ଗାଇଡ଼୍ କ୍ୟାପଟେନ୍ ଯୋଗ ଦେଇ ଶିବିରର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ଶାରୀରିକ କ୍ରୀଡ଼ା କୌଶଳ, ସାମରିକ କ୍ରୀଡ଼ା, ବାଦ୍ୟଧ୍ୱନୀ, କଲରପାର୍ଟି, ଦଳଗତ ନୃତ୍ୟ, ବକ୍ତୃତା, ଫୁଡ ଼ଭିଲ୍ଲା, ଦେଶୀୟ ର‌୍ୟାମ୍ପ ୱାକ୍‌, କୌତୁକ ପୋଷାକ ପରିଧାନ, ଯୋଗାସନ, ବିପି କ୍ରୀଡ଼ା କୌଶଳ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶିବିର ବିଭିନ୍ନ ଦିବସରେ ଡଃ ମନୋଜ କୁମାର ସାହୁ, ଡଃ ପ୍ରଣବ ମହାପାତ୍ର ପ୍ରଭୃତି ଯୋଗ ଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସଦ୍ ଉପଦେଶ ପ୍ରଦାନ କରିଥିଲେ । ଅତିଥିମାନେ ବିଭିନ୍ନ ଜିଲ୍ଲା ଦ୍ୱାରା ଆୟୋଜିତ “ଗ୍ରାମ୍ୟ ବଜାର”ରେ ବୁଲି ବୁଲି କିଣାକିଣି କରିବା ସହିତ ବିଭିନ୍ନ ସ୍ୱାଦର ଖାଦ୍ୟପଦାର୍ଥକୁ ଉପଭୋଗ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠିକା ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସଙ୍କ ନେତୃତ୍ୱରେ ଏହି ଶିବିର ପରିଚାଳିତ ହୋଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଂଜନ ପଟ୍ଟନାୟକ, ରାଜ୍ୟ ସ୍କାଉଟ୍ ତାଲିମ କମିସନର ଶ୍ରୀ ସୁରଜିତ ସେନ, ରାଜ୍ୟ ଗାଇଡ଼୍ ତାଲିମ କମିସନର ପ୍ରିୟଦର୍ଶିନୀ ମହାପାତ୍ର ଓ ରାଜ୍ୟ ମୁଖ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଭୃତି ସହଯୋଗ କରିଥିଲେ । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ