ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖା ପକ୍ଷରୁ ଗହମ ଜବତ ଘଟଣାରେ ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଦର ଥାନାରେ ଏତଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବୁଧବାର କେନ୍ଦ୍ରାପଡା ସଦର ଥାନାରେ ଗହମ ଚୋରା ଚାଲାଣ ପାଇଁ ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାଇ ଗତ ୧୯ତାରିଖରେ ସଦର ଥାନା ପୋଲିସ ଦ୍ୱାରା ୨୧୦ବସ୍ତା ଚୋରା ପିଡିଏସ ଗହମ ସମେତ ଗାଡିକୁ ଜବତ କରାଯାଇଥିଲା । ଏସମ୍ପର୍କରେ ଜବତ ଗାଡିର ଚାଳକ ଦେଇଥିବା ଷ୍ଟେଟମେଂଟ ଅନୁଯାଇ ସେହି ଜବତ ପିଡିଏସ ଗହମ ଛଗରିଆସ୍ଥିତ ଆର.ଆର.ସି. ଗୋଦାମ ଗୃହରୁ ଆସିଥିବା ଜଣାପଡିଛି । ଏହି ପିଡିଏସ ଗହମ ଜବତ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଖାଦ୍ୟାଭାବରୁ କେହି ଅନାହାରରେ ନପଡନ୍ତୁ ସେଥି ପାଇଁ ଏହି ପିଡିଏସ ଗହମକୁ କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ଲୋକମାନଙ୍କୁ ରିହାତି ଦରରେ ଯୋଗାଇ ଦେଇଥାନ୍ତି । ବହୁ ସମୟରେ ଏଭଳି ଭାବେ ପିଡିଏସ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୁଟ ହେଉଥିବା ଦେଖିବାକୁ ମିଳିଛି । ପିଡିଏସ ସାମଗ୍ରୀର ସୁଷମ ବଂଟନ ପାଇଁ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଆର.ଆର.ସି.ରେ ପ୍ରୋକିଓରମେଂଟ ଇନିସପେକ୍ଟରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲେବି ସେମାନଙ୍କ ଲାଭଖୋର ମନୋବୃତ୍ତି ପାଇଁ ପିଡିଏସ ସାମଗ୍ରୀ ଲୁଟ ହେଉଛି । ଗାଡିଚାଳକଙ୍କ ବୟାନ ଅନୁଯାଇ ଛଗରିଆସ୍ଥିତ ଆର.ଆର.ସି. ଗୋଦାମ ଗୃହରୁ ଏହି ପିଡିଏସ ଗହମ ଚୋରା ଚାଲାଣ ହୋଇଥିବାରୁ ଏହି ଘଟଣାରେ ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ, ପ୍ରୋକ୍ୱିଓରମେଂଟ ଇନିସପେକ୍ଟର ପିଙ୍କୁଇନ ସାମନ୍ତରାୟ ଓ ଏଲ-୨ ଠିକାଦାରଙ୍କ ଷଡଯନ୍ତ୍ର ଓ ଦୁର୍ନିତୀ ପଛରେ ପ୍ରତ୍ୟେକ୍ଷ ଭୂମିକା ରହିଥିବା ଅଭିଯୋଗ ହୋଇଛି । ଏଣୁ ଏହି ୨ ଯୋଗାଣ ବିଭାଗ ଅଧିକାରୀଙ୍କ ସମେତ ଏଲ-୨ ଠିକାଦାରଙ୍କ ବିରୋଧରେ ଅତ୍ୟାବଶ୍ୟକ ପଣ୍ୟ ସାମଗ୍ରୀ ଆଇନ ଅନୁଯାଇ ମାମଲା ଦାୟର କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ଆଳୟ ସାମନ୍ତରାୟ, ନରେଶ କୁମାର ସ୍ୱାଇଁ, ଆଶିଷ ଖଟୁଆ, ସମ୍ପଦ ସ୍ୱାଇଁ ପ୍ରମୁଖ ଲିଖିତ ଅଭିଯୋଗ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଏଥିସହିତ ଜିଲ୍ଲାପାଳ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।