ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୂଚନା ଅଧିକାର କର୍ମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଓଡିଶା ସୂଚନା ଅଧିକାର ଅଭିଯାନ(ଓସା)କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓସାର ଜିଲ୍ଲା ଶାଖା ସଦସ୍ୟମାନେ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଦକରଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨୦୨୦ମସିହା ଜାନୁଆରୀମାସ ୩୦ତାରିଖରେ ଜିଲ୍ଲାର ଜଣେ ଦିବଗଂତ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ତାଙ୍କ ଜୀବନପ୍ରତି ବିପଦ ଥିବା ସମ୍ପର୍କରେ ସେ ପୂର୍ବରୁ ପାଟକୁରା ଥାନାରେ ବାରମ୍ବାର ଅଭିଯୋଗ କରିଥିଲେବି ପୋଲିସର ନିଷ୍କ୍ରୀୟତା ଯୋଗୁଁ ଅପରାଧୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଗତ ୨ଦିନତଳେ ମହାକାଳପଡା ବ୍ଲକର ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ଅଡିଓ ସହ ଜମ୍ବୁ ସାମୁଦ୍ରିକ ଥାନାରେ ଅପରାଧୀକ ଷଡଯନ୍ତ୍ରକାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଥାନା ପକ୍ଷରୁ ୧/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହେବାରୁ ଅଭିଯୋଗକାରୀ ଅମିତାଭ ଓ ତାଙ୍କ ପରିବାର ଉପରେ ବିପଦ ବଢିବାରେ ଲାଗିଛି । ତେଣୁ ଏହି ଘଟଣାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ଅମିତାଭ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯିବାକୁ ଓସାର ଜିଲ୍ଲା ଶାଖା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି । ଯଦି ଅମିତାଭ ବା ତାଙ୍କ ପରିବାର ସଦସ୍ୟଙ୍କ କୈାଣସି କ୍ଷତି ହୁଏ ସେଥି ପାଇଁ ଜିଲ୍ଲା ପୋଲିସ ଦାୟୀ ରହିବ ବୋଲି ଓସା ପକ୍ଷରୁ ଚେତାବନୀ ଦିଆଯାଇଛି । ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏହି ଘଟଣାକୁ ନେଇ ଓସା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନ ଭଙ୍ଗ କରିବାକୁ ବାଧ୍ୟ ହେବ ବୋଲି ଓସା ପକ୍ଷରୁ କୁହାଯାଇଛି । ଓସାର ଜିଲ୍ଲା ସଂଯୋଜକ ପ୍ରତାପ ମହାନ୍ତି, ନିରଞ୍ଜନ ପରିଡା, ଅମିତାଭ ଚାନ୍ଦ, ମନୋଜ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଦାସ, ଦୁଷ୍ମନ୍ତ ଆଚାର୍ଯ୍ୟ, ସମ୍ପଦ ସ୍ୱାଇଁ, ଆଳୟ ସାମନ୍ତରାୟ ପ୍ରମୁଖ ଏସପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ