ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବ୍ଲକ ଗ୍ରାଣ୍ଟ ସ୍କିମରେ ୨୦୦୪ମସିହାରୁ ୫ହଜାରରୁ ଅଧିକ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି । ୨୦୧୭ ମସିହାରୁ ରାଜ୍ୟ ସରକାର ସେହି ସବୁ ଅନୁଷ୍ଠାନ ଗୁଡିକୁ ଅନୁଦାନ ମଞ୍ଜୁର କଲେ । ସେମାନଙ୍କୁ ୨୦୧୭ମସିହାରୁ ସପ୍ତମ ପେ କମିଶନ ଅନୁଯାୟୀ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତେଣୁ ଏହି ସ୍କିମର ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସପ୍ତମ ବେତନ ପ୍ରଦାନ, ୨୦୧୮ ଅନୁଦାନରେ ଆସୁଥିବା ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ ସହ ଅଣତାଲିମପ୍ରାପ୍ତ ହିନ୍ଦୀ, ସଂସ୍କୃତ ଓ ମଦ୍ରାସା ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ଉଚ୍ଚ ହାରରେ ଦରମା ପ୍ରଦାନ କରାଯିବା, ଅନୁଦାନ ପାଇବାକୁ ଯୋଗ୍ୟ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀକୁ ସରକାରୀ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ ଗୁଡିକର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି, ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀ ଘୋଷଣା କରାଯାଇ ସେସବୁରେ ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦବୀକୁ ତୁରନ୍ତ ପୁରଣ କରାଯିବା, ସର୍ବୋତ୍ତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଆର.ଏ.ସି.ପି. ପ୍ରଦାନ ସହ ୪୮ବର୍ଷ ବୟସରେ ପହଞ୍ଚିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି. ଜି. ସ୍କେଲରେ ଦରମା ପ୍ରଦାନ, ତା ୧୬.୧୦.୨୦୨୨ ବିଜ୍ଞପ୍ତି ଅନୁଯାୟୀ ଠିକା ନିଯୁକ୍ତି ପ୍ରାପ୍ତ ଶିକ୍ଷକଙ୍କ ପାଇଁ ପୁରୁଣା ପେନସନ ସ୍କିମ ଲାଗୁ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ସମନ୍ୱୟ ସମିତିର ଆବାହକ ନିର୍ମଳ କୁମାର ନାୟକ, ରାଜ୍ୟ ଓଷ୍ଟା କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଣବ କୁମାର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ ବାବାଜି ଚରଣ ଦାସ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଜିଲ୍ଲା ଓଷ୍ଟା ଉପସଭାପତି ଅନ୍ନପୂର୍ଣ୍ଣା ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ୪୮୮କଲେଜ ସମ୍ପାଦକ ଜ୍ୟୋତିର୍ମୟ ଦାସ, ତରୁଣ ରାଉତରାୟ, ଅଧ୍ୟାପକ ପ୍ରକାଶ କୁମାର ଦାସ, ମନୋରଞ୍ଜନ ପଟ୍ଟନାୟକ, ଭାଗବତ ପ୍ରସାଦ ମୁଦୁଲି, ୬୬୨ କଲେଜ ସଭାପତି ପ୍ରମୋଦ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ପ୍ରେମାନନ୍ଦ ଜେନା, ଜୟନ୍ତ କୁମାର ସାହୁ, ପ୍ରଦୀପ କୁମାର ନାୟକ, ରମେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ପଣ୍ଡା, ପ୍ରଭାକର ଆଚାର୍ଯ୍ୟ, ସୁରେନ୍ଦ୍ର କୁମାର ମହାପାତ୍ର, ପୁଷ୍ପାଞ୍ଜଳି ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟର ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ସ୍କୁଲ ତଥା ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଉପରୋକ୍ତ ଅଧିକାରୀମାନଙ୍କ ଉଦେଶ୍ୟରେ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ ।