ଓମଫେଡରେ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ

କଟକ: ଓମଫେଡ଼ରେ ହୋଇଥିବା ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଏକ ମାମଲାର ବିଚାର କରି ହାଇକୋର୍ଟ ସିବିଆଇକୁ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କଟକ କୋ-ଅପରେଟିଭ ମିଲ୍କ ଫେଡେରେସନ ୟୁନିୟନର ପ୍ଲାଣ୍ଟ ଅପରେଟର୍ ସନ୍ତୋଷ କୁମାର ସାମଲଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଆର.ଷଡଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ ସାମଲ ଓମଫେଡର ପ୍ଲାଣ୍ଟ ଅପରେଟର ଭାବେ କାମ କରୁଥିଲେ । ୨୦୧୮ ମସିହାରେ ଓମଫେଡର ୧୩ ଲକ୍ଷ ଟଙ୍କାର ଗୋଖାଦ୍ୟ ଦୁର୍ନୀତି ହୋଇଥିବା ଅଡିଟରେ ଧରାପଡ଼ିଥିଲା । ଏହି ଅଭିଯୋଗରେ ଶ୍ରୀ ସାମଲଙ୍କୁ ନିଲମ୍ବିତ କରାଯାଇଥିଲା । ଏହା ପରେ ତାଙ୍କୁ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଅପସାରଣ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ସେ ଏହି ଆଦେଶ ବିରୋଧରେ କୋ-ଅପରେଟିଭ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ । ଟ୍ରିବ୍ୟୁନାଲର ଓମଫେଡର ଆଦେଶ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ । ଅପରପକ୍ଷେ ଶ୍ରୀ ସାମଲ ଏହି ଅନିୟମିତତା ଘଟଣାରେ କିଛି ଆଇଏଏସ୍ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିତ୍ୱଙ୍କ ସମ୍ପୃକ୍ତି ରହିଥିବା ନେଇ ସିବିଆଇରେ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ । କିନ୍ତୁ ସିବିଆଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ସ୍ମାରକ ପତ୍ର ବା ରିପ୍ରେଜେଣ୍ଟେସନ ଆଧାରରେ ମାମଲା ରୁଜୁ କରି ସିବିଆଇକୁ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ବିପ୍ଲବ ବାହାଲି, କଳିଙ୍ଗ କେଶରୀ ମହାପାତ୍ର, ସୁଶିଲ କୁମାର ମହାପାତ୍ର ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ