ଓମେନ୍ସ ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶ୍ୱ ମାତୃ ଦିବସ, ବିଶ୍ୱ ରେଡକ୍ରସ ଦିବସ ଏବଂ ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଓଡ଼ିଶାର ପୁରାତନ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଓମେନ୍ସ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ଶିକ୍ଷାକେନ୍ଦ୍ରଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଶୋଭାଦେବୀ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ଶିଶୁ ଥାଲାସେମିଆ ରୋଗ ରେ ପୀଡ଼ିତ । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ସାତଶହରୁ ଉର୍ଦ୍ଧ୍ୱ ଶିଶୁ ଏହି ରୋଗରେ ପୀଡ଼ିତ ବୋଲି ମତ ପ୍ରକାଶ ପାଇଛି । ଦୈନିକ ରୋଗୀମାନଙ୍କ ନିମନ୍ତେ ଆବଶ୍ୟକତା ପଡ଼ୁଥିବା ରକ୍ତ ଠାରୁ କମ୍ ପରିମାଣର ରକ୍ତ ମହଜୁଦ୍ ଥିବାରୁ ଅନେକ ଥାଲାସେମିଆ ପୀଡ଼ିତ ଶିଶୁମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓମେନ୍ସ ସଂଗଠନ ତରଫରୁ ଏଭଳି ପ୍ରୟାସ କରାଯାଇଛି । ଓମେନ୍ସର ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨ ନମ୍ବର ୱାର୍ଡ଼ର କର୍ପୋରେଟର, ସମାଜ ସେବୀ ସୁଧା ମହାପାତ୍ର, କୃଷ୍ଣ ପ୍ରସାଦ ବାରିକ, ଗିରିଶ ମିଶ୍ର, ସୋନାଲି ମଧୁସ୍ମିତା ମହାନ୍ତି, ବାପୁଜୀ ପ୍ରଧାନ, ସୁମିତ୍ରା ମଧୁସ୍ମିତା ମହାନ୍ତି ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।