ଓଷ୍ଟା ଆସିକା ବ୍ଳକ କମିଟିର ଜରୁରୀ ବୈଠକ

ଆସିକା, (ୱାଇଏନ୍‍ଏସ୍‍):ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆସିକା ବ୍ଳକ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ଆସିକା ବ୍ଳକ କମିଟିର ସଭାପତି ତାରା ପ୍ରସାଦ ମିଶ୍ର ଓ ସଂପାଦକ ରାମକୃଷ୍ଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ସଂଘର ଏହି ଜରୁରୀ ବୈଠକରେ ଆସନ୍ତାକାଲି ଅର୍ଥାତ୍‍ ସୋମବାର ଠାରୁ ରାଜ୍ୟ ସଂଘର ଆହ୍ୱାନକ୍ରମେ ୫ ଦଫା ଦାବୀ ପୂରଣ ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମହାସମାବେଶ ଓ ଅହୋରାତ୍ର ଗଣଧାରଣାର ସଫଳ ରୂପାୟନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନକ୍ରମେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତାବଳୀ, ପେନ୍‍ସନ୍‍ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅବସର ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା ଓ ଗ୍ରେଡପେରେ ଥିବା ଅସଂଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ କରିବା, ନୂତନ ପେନସନ୍‍ ପରିବର୍ତ୍ତେ ପୁରୁଣା ସ୍କିମ୍‍ର ପୁନଃ ପ୍ରଚଳନ ଓ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସ୍‍ନାଲ୍‍ ଇନ୍‍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଇତ୍ୟାଦି ଦାବୀ ପୂରଣ ଲାଗି ଦିଆଯାଇଥିବା ମହାସମାବେଶ ସଂପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ସଂଘର ଆହ୍ୱାନକ୍ରମେ ଆସନ୍ତାକାଲି ଅର୍ଥାତ୍‍ ସୋମବାର ଠାରୁ ଭୁବନେଶ୍ୱରରେ ୫ ଦଫା ଦାବୀ ପୂରଣ ଲାଗି ଆରମ୍ଭ ହେବାକୁ ଥିବା ମହାସମାବେଶ ଓ ଅହୋରାତ୍ର ଗଣଧାରଣା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସଂଘର ସଦସ୍ୟମାନେ କିପରି ପାଳି କରି ଯୋଗଦେଇପାରିବେ ଓ ବିଦ୍ୟାଳୟରେ ପିଲାଙ୍କ ପାଠପଢାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ତାହାରି ଉପରେ ମଧ୍ୟ ବିଚାର ବିମର୍ଶ କରାଯାଇଥିଲା । ଓଷ୍ଟା ଆସିକା ବ୍ଳକ କମିଟିର ଏହି ଜରୁରୀ ବୈଠକରେ ସଂଘର ସଭାପତି ତାରା ପ୍ରସାଦ ମିଶ୍ର, ସଂପାଦକ ରାମକୃଷ୍ଣ ପଣ୍ଡା,ସଦସ୍ୟ ପ୍ରଦୀପ କୁମାର ପରିଡା, ପ୍ରସନ୍ନ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ଦାଶ, ହିମାଂଶୁ ଶେଖର ମୁନି, ସୁଧାଂଶୁ ଶେଖର ପାଢୀ, ପ୍ରମୋଦ କୁମାର ଗୌଡ, ବାଳକୃଷ୍ଣ ଲେଙ୍କା, ରାଜେନ୍ଦ୍ର କୁମାର ଦାଶଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ