‘ଓସା’ର ନବୀନ ନିବାସ ଘେରାଉ ସ୍ଥଗିତ

ଭୁବନେଶ୍ୱର, : କେନ୍ଦ୍ରାପଡା ଜିଲ୍ଲାର ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡର ତଦନ୍ତ ନ କରି ବିଜେଡ଼ି ନେତାଙ୍କ ଚାପରେ ପୋଲିସ୍ ଏହାକୁ ଦୁର୍ଘଟଣାର ରୂପ ଦେବାକୁ କରୁଥିବା ଷଡ଼ଯନ୍ତ୍ରର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆଗାମୀ ମାର୍ଚ୍ଚ ୧୯ ତାରିଖରେ ହେବାକୁ ଥିବା ନବୀନ ନିବାସ ଘେରାଉ ଏବଂ ଜେଲ୍‌ଭରୋ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି । ପ୍ରଧାନ କହଛନ୍ତି ଯେ, କରୋନା ଭାଇରସ୍ ଭୟାବହତାକୁ ରାଜ୍ୟ ବିପତ୍ତି ଘୋଷଣା କରି ରାଜ୍ୟ ସରକାର ସ୍କୁଲ୍ କଲେଜ ବନ୍ଦ ସହ ସଭାସମିତି ଆୟୋଜନ ଉପରେ ଅଙ୍କୁଶ ଲଗାଇଛନ୍ତି । ଭୁବନେଶ୍ୱର ପୋଲିସ୍ କୌଣସି ସଭାସମିତି ଆୟୋଜନ କରିବାକୁ ମଧ୍ୟ ଅନୁମତି ଦେଉନାହିଁ । ତେଣୁ ‘ଓସା’ର ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସାମୟିକ ପାଇଁ ବାତିଲ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡର ୪୫ ଦିନ ବିତିଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୋଲିସ୍ କାହାରିକୁ ଗିରଫ କରିନାହିଁ । ହତ୍ୟାକାରୀମାନେ ସର୍ବସାଧାରଣରେ ରଞ୍ଜନକୁ ହତ୍ୟା କରିଥିବାର ସ୍ୱୀକାର କରିଥିଲେ ମଧ୍ୟ, ପୋଲିସ୍ ନୀରବ ରହିଛି । ବିଜେଡ଼ି ଦଳର ନେତା, ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ମାଫିଆମାନଙ୍କ ପ୍ରୋତ୍ସାହନରେ ଅପରାଧୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ସର୍ବସାଧାରଣରେ ଅଭିଯୋଗ ହୋଇଆସୁଛି । ସୂଚନା ଅଧିକାର ଆଇନ୍‌କୁ ବ୍ୟବହାର କରି ରଞ୍ଜନ ମାର୍ଶାଘାଇ, ମହାକାଳପଡ଼ା ଅଞ୍ଚଳରେ ସରକାରୀ ଯୋଜାନରେ ଚାଲିଥିବା ଦୁର୍ନୀତି, ରାସ୍ତା ନିର୍ମାଣ, ଏନ୍‌ଆରଇଜିଏ ଯୋଜନା, ଖେଳପଡ଼ିଆ ନିର୍ମାଣରେ ଦୁର୍ନୀତିର ଖୋଲାସା କରିଥିଲେ । ଏହା ସହିତ ରଞ୍ଜନ ମହାକାଳପଡ଼ାରେ ବେଆଇନ୍ ଚିଙ୍ଗୁଡ଼ି ଚାଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଣ୍ଟନରେ ଦୁର୍ନୀତି ସମ୍ପର୍କରେ ଗତ ୨୭.୧.୨୦ରିଖରେ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ପାଇଁ ଅଭିଯୋଗ କରିଥିଲେ । ଏହିସବୁ କାମ ପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିଲା ଏବଂ ସେ ଡ଼ିସେମ୍ବର ୧୧, ୨୦୧୯ରେ ପାଟକୁରା ଥାନାରେ ଅଭିଯୋଗ କରିବା ସହ ପୋଲିସ୍ ସହାୟତା ଲୋଡ଼ିଥିଲେ । କିନ୍ତୁ ପୋଲିସ୍ କୌଣସି ପଦକ୍ଷେପ ନେଇନଥିଲା । ରଞ୍ଜନ ଦାସ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ସହ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଓସା ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ