ଓସିଏଲ୍ ଚକ୍ରାନ୍ତରେ ଆଦିବାସୀ ପୋଲିସ୍ ସାଜିଛି ହାତବାରିସୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାୟତର ଆଦିବାସୀମାନେ ନିଜ ଜମିର ସୁରକ୍ଷା, ଓସିଏଲ୍ ନିର୍ଯ୍ୟାତନାରୁ ରକ୍ଷା ପାଇବା ଏବଂ ପୋଲିସ୍‌ର ଅତ୍ୟାଚାରରୁ ବର୍ତ୍ତିବା ପାଇଁ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ଆସି ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି । ଫୋରମ୍ ଫର୍ ଗ୍ରାମସଭା କମିଟି, ରାଜଗାଙ୍ଗପୁର ଅଧୀନରେ ଗ୍ରାମବାସୀମାନେ କୁକୁଡ଼ା, ଆଳନ୍ଦା, କେସ୍ରମାଲ, ଝାଗରପୁର ଓ ଖତଙ୍ଗ ଗ୍ରାମ ପଞ୍ଚାୟତର ଜମିଗୁଡ଼ିକ ସମ୍ବିଧାନର ପଞ୍ଚମ ସିଡ୍ୟୁଲ ଅଞ୍ଚଳ ମଧ୍ୟରେ ଆସୁଥିବାରୁ ଏହାର ବିଚାର ପାଇଁ ମହାମହୀମଙ୍କ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ମନେ କରି ଆଦିବାସୀମାନେ ରାଜଭବନ ସମ୍ମୁଖରେ ନିଜର ହକ୍ ପାଇଁ ଧାରଣାରେ ବସିରହିହଛନ୍ତି । ରାଜଗାଙ୍ଗପୁରର ମାନ୍ୟବର ବିଧାୟକ ଡଃ ସି.ଏସ୍‌. ରାଜନଏକ୍କାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଆସି ସେମାନଙ୍କ ଜମିର ସୁରକ୍ଷା ପାଇଁ ଏକତ୍ରିତ ହୋଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଲାଞ୍ଜିବର୍ଣ୍ଣା ଖଣି ଅଞ୍ଚଳରେ ବହୁ ଆଦିବାସୀ ଚୂନପଥର ଏବଂ ଡ଼ୋଲମାଇଟ୍ ଖଣି ଯୋଗୁଁ ସେମାନଙ୍କ ଜମି ହରାଇଥିବାରୁ ସେମାନେ ନୂଆ ଜମି ପାଇବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଥଇଥାନ ପାଇଁ କୌଣସି ଜମି ପ୍ରଦାନ କରିନାହାଁନ୍ତି । ଅପରପକ୍ଷରେ ଆଦିବାସୀମାନଙ୍କର ନିଜର ଜମିଗୁଡ଼ିକୁ ଓସିଏଲ୍ କମ୍ପାନୀ ଜୋର ଜବରଦସ୍ତ ଲୋକଙ୍କ ଜାଲ ଦସ୍ତଖତ ବଳରେ ଗ୍ରାମସଭାର ଅନୁମୋଦନ ପାଇଛି ବୋଲି କହି ଜମି ଅଧିଗ୍ରହଣ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ସ୍ଥାନୀୟ ପୋଲିସ୍ ମାତ୍ରାଧିକ ବଳପ୍ରୟୋଗ ଯୋଗୁଁ ଆଦିବାସୀମାନେ ଘୋର ଅଶାନ୍ତିରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରକୃତପକ୍ଷେ କହିବାକୁ ଗଲେ ୨୬ ଜାନୁୟାରୀ ୨୦୨୦, ୧୬ ଏପ୍ରିଲ ୨୦୨୧ ଏବଂ ୨୩ ଅଗଷ୍ଟ ୨୦୨୧ରେ ଗ୍ରାମସଭା ମାନଙ୍କରେ ଜମି ନଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ, ଓସିଏଲ୍ କମ୍ପାନୀ ପୋଲିସ୍‌କୁ ହାତବାରିସୀ କରି ଲୋକମାନଙ୍କୁ ଧମକାଇ ଏକପ୍ରକାର ଆତଙ୍କରାଜ ସୃଷ୍ଟି କରି ସେମାନଙ୍କୁ ନିଜ ଜମିରୁ ଉଚ୍ଛେଦ କରିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଥିବାରୁ ସେମାନେ ମହାମହୀମ ରାଜ୍ୟପାଳଙ୍କୁ ଗୁହାରୀ କରିବାକୁ ରାଜଧାନୀରେ ଧାରଣା ଦେଇଛନ୍ତି । ଯଦି ସରକାର ଏହି ଆଦିବାସୀମାନଙ୍କର ଦୁଃଖ ନଶୁଣନ୍ତି, ତେବେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଆମରଣ ଅନଶନ କରି ଏଠାରେ ନିଜ ଜୀବନ ହାରିବେ ସିନା, ଗାଁକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ