ଓସେପାରେ ଆକାଶପାତାଳ ଅନିୟମିତତାର ହେର୍‍ଫେର୍‍

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଆ ଭାଷାରେ ଲିଖିତ ବହିର ମାନ୍ୟତା ଓ ଯୋଗ୍ୟତା ବିଚାର ଦୃଷ୍ଟିରୁ ପୁସ୍ତକ ପ୍ରକାଶକ ନୁହନ୍ତି, ବରଂ ସଯତ୍ନପ୍ରସ୍ତୁତ ତଥା ଉପାଦେୟ ପୁସ୍ତକର ଭୂମିକାକୁ କେହି ଆଦୌ ଆଡେଇଦେଇପାରିବେ ନାହିଁ । ମାତ୍ର ବିଦ୍ୟାଳୟ ପାଠାଗାର ପାଇଁ ଆସିଥିବା ଅନୁଦାନ ଅର୍ଥ କେବଳ ଆଙ୍ଗୁଠିଗଣା ଅଳ୍ପକେତେକମାତ୍ର ପ୍ରକାଶକ କଳେବଳେକୌଶଳେ ଆତ୍ମସାତ୍‍ କରୁଥିବାନେଇ ଜାଣିବାଶୁଣିବା ମହଲରେ ଏବେ କଥା କାନକୁକାନ ହୋଇ ନିଆଁ ଲାଗିବାକୁ ଯାଉଛି କହିଲେ ଚଳେ । ସୁତରାଂ ପ୍ରକାଶନ କ୍ଷେତ୍ରରେ ଅନୁପ୍ରବେଶକାରୀ ଏହି ସ୍ପଳ୍ପସଂଖ୍ୟକ କୁଚକ୍ରୀ ମେଣ୍ଟର ଚରମ ଅସାଧୁତା ସାମନ୍ୟମାତ୍ରାରେ ସୁଦ୍ଧା ସତ୍ୟ ସାବ୍ୟସ୍ତ ହେଲେ ପାଠାଗାର ପାଇଁ ଓଡିଆ ବହିକିଣାକୁ ନେଇ ଆଗକୁ ଆସୁଥିବା ଅନେକ ଯୋଜନାର ଭବିଷ୍ୟତ ଘୋର ଅନ୍ଧକାର ଗର୍ଭରେ ଲୀନ ହେବ ହିଁ ହେବ । ପାଠାଗାରଗୁଡିକୁ ବଛାବଛା ଭଲବହି ଯୋଗାଇଦିଆଯିବ କ’ଣ ଓଲଟି ବୃଥାଟାରେ ପିଢି ପରେ ପିଢି ଓଡିଆ ପୁସ୍ତକ ପ୍ରକାଶ କରି ଓଡିଆ ଭାଷା ସାହିତ୍ୟକୁ ବଂଚାଇ ରଖିଛନ୍ତି ବୋଲି ମିଥ୍ୟାଡିଣ୍ଡିମ ପିଟିଆସୁଥିବା ଅଳ୍ପ କେତେଜଣ ଅସାଧୁ ବହିବ୍ୟବସାୟୀଙ୍କୁ ହିଁ ଓସେପା ତରଫରୁ ବର୍ଷ ବର୍ଷ ଧରି ଭରଣପୋଷଣର ଦାୟିତ୍ୱ ବେଶ୍‍ ଚତୁରତାର ସହିତ କାର୍ଯ୍ୟକାରୀ କରାଯାଉଥିବ । ଉପଯୁକ୍ତ ପୁସ୍ତକ ଚୟନ ପ୍ରକ୍ରିୟା ପରିବର୍ତ୍ତେ ବରଂ ଲମ୍ବାଚଉଡା ରଙ୍ଗିନ୍‍ ସାଇନ୍‍ବୋର୍ଡ ଟଙ୍ଗାଇ ବଜାରଜାଲ ବିଛାଇବସିଥିବା ଚତୁର ବ୍ୟବସାୟୀଙ୍କୁ ବଡ ବଡ ବୁନିୟାଦ୍‍ ପ୍ରକାଶକ ବୋଲି ଧୂଆଁବାଣ ଫୁଟାଇ ସେମାନଙ୍କ ଦ୍ୱାରା ଦ୍ରୁତପ୍ରସ୍ତୁତ ତ୍ରୁଟିବିଚ୍ୟୁତିପୂର୍ଣ୍ଣ ପୁସ୍ତକଗୁଡିକୁ ହିଁ ସୁରୁଖୁରୁରେ ଯୋଗାଇଦିଆଯାଉଥିବ ପାଠାଗାରକୁ ପ୍ରବେଶପତ୍ର । ତାହେଲେ ଦୀର୍ଘକାଳରୁ ଗାଁ ଗହଳିର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ପାଠକଙ୍କ ପାଇଁ ଧର୍ମ, ପୁରାଣ ଓ ବିଭିନ୍ନ ଗପବହି ଛପାଇ ସବିଶେଷ ରିହାତିରେ ମୂଲ୍ୟରେ ବିକ୍ରୟ କରୁଥିବା କ୍ଷୁଦ୍ର ପ୍ରକାଶକମାନଙ୍କର କ’ଣ ଭାଷା ସାହିତ୍ୟ ପ୍ରତି କିଛି ଅବଦାନ ନାହିଁ ? ଅଥଚ କିଛି ପ୍ରଶାସକ, ସରକାରୀ ଚାକିରିଆ ତଥା ସୌଖୀନ୍‍ ଲେଖକଙ୍କ ପଇସାରେ ସେମାନଙ୍କର ବହି ଛାପି ନିଜକୁ ବଡ ବଡ ପ୍ରକାଶକ ବୋଲାଉଥିବା ଏହି ସୁବିଧାବାଦୀ ଅର୍ଥଲୋଲୁପ ଗୋଷ୍ଠୀଙ୍କ ପକ୍ଷରୁ ସରକାରଙ୍କ ଦ୍ୱାରା ପ୍ରଚଳିତ ଏପରି ଜନକଲ୍ୟାଣକାରୀ ପୁସ୍ତକ ପ୍ରସାର ଯୋଜନାକୁ ଭ୍ରଷ୍ଟ କରିଦେବାର ଷଡଯନ୍ତ୍ର ବିରୋଧରେ ବୁଦ୍ଧିଜୀବୀମାନେ ବେଳହୁଁ ସଜାଗ ସ୍ୱର ଉଠାଇବାର ସମୟ ଆସିଯାଇଛି ବୋଲି ବିଶିଷ୍ଟ ସାହିତ୍ୟିକ ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି ।
ଶ୍ରୀ ନାୟକ ଲେଖିଛନ୍ତି – କେନ୍ଦ୍ର ସରକାର ସମସ୍ତ ଆଂଚଳିକ ଭାଷାର ଉନ୍ନତି କଳ୍ପେ ପ୍ରତ୍ୟେକ ରାଜ୍ୟକୁ ଅନୁଦାନ ଦେଉଛନ୍ତି ଓ ସେହି ନ୍ୟାୟରେ ଓଡିଶା ମଧ୍ୟ ଅନୁଦାନ ପାଉଛି । କିନ୍ତୁ ଏହି ପ୍ରକାଶକମାନେ ପରୋକ୍ଷରେ ପୁସ୍ତକ ଚୟନକମିଟି ଗଠନ ଠାରୁ ଆରମ୍ଭକରି ସେହି ଆଦେଶ ଦେଉଥିବା ସରକାରୀ ଅଫିସ ସହ ପ୍ରତ୍ୟକ୍ଷ ସୁସଂପର୍କ ରଖି ଅନୁଦାନ ଅର୍ଥର ଅନ୍ୟୂନ ଅଶୀଭାଗ ହାତେଇ ନେଉଥିବାର ଗୁରୁତର ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡଗଡଉଥିଲେ ହେଁ ସଂପୃକ୍ତ ଦାପ୍ତରିକ ପଦାଧିକାରୀମାନେ ବେଶ୍‍ ସାଫଲ୍ୟର ସହିତ ଅନ୍ଧମୂକବଧିର ଅଭିନୟ କରିାଚଲିଛନ୍ତି ।
ଗତଥର ଏହି ପ୍ରକ୍ରିୟାରେ ଓସେପା ଦ୍ୱାରା କିଣା ଯାଉଥିବା ପାଠାଗାର ବହିକ୍ରୟ ଯୋଜନାରେ ଆକାଶପାତାଳ ଫରକ ଥିବା ଭଳି ସାଂଘାତିକ ଅନିୟମିତତା ଆମର ନଜରରୁ ଛାଡ ପାଇନାହିଁ । ବହି ବାବଦରେ ଆଗ୍ରହ ରଖିଆସୁଥିବା ଓଡିଶାର ଯେକୌଣସି ସାଧାରଣ ନାଗରିକ ସୁଦ୍ଧା ଆର୍‍ଟିଆଇ ତଥା ସୂଚନାଧିକାର ଆଇନ୍‍ ବଳରେ ମନୋନୀତ ପୁସ୍ତକତାଲିକା ମଗାଇ କେଉଁ କେଉଁ ପ୍ରକାଶକ କେତେ ଅନୁଦାନ ପ୍ରାପ୍ତ ହେଲେ ଆକଳନ କରିବା ଦ୍ୱାରା ଏହି ଆକାଶପାତାଳ ଅନିୟମିତତାର ହେର୍‍ଫେର୍‍ ସମ୍ବନ୍ଧରେ ଅନାୟାସରେ ହିଁ ସଂପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ । ଏହି ଓସେପା ପୁସ୍ତକ କ୍ରୟଯୋଜନାରେ ଶତାଧିକ ପ୍ରକାଶକଙ୍କ ଦ୍ୱାରା ଦାଖଲ ହୋଇଥିବା ବହୁ ଉପାଦେୟ ବହି ଜୁରୀକମିଟୀଙ୍କ ବିଚାରକୁ ଆସିଥିଲେ ହେଁ ସୁନାକଳସ ଢଳାହୋଇଛି ମାତ୍ର ସାତଆଠଜଣ ପ୍ରକାଶକଙ୍କ ଉପରେ !!
ଗଲାଥର ଅନ୍ୟୂନ ପଚାଶଷାଠିଏ ଲକ୍ଷରର ଦୁଇକୋଟି ଟଙ୍କାଯାଏ ଅନୁଦାନରାଶି ପାଇପାରିଥିବା ଏହି ସାତଆଠଜଣ ପ୍ରକାଶକଙ୍କ ନାମ ଆମ ଫାଇଲ୍‍ରେ ଏବେ ମହଜୁଦ୍‍ ରହିଲାଣି । ଅତ୍ୟନ୍ତ ଗୋପନୀୟ ତଥା ଏକାନ୍ତ ବିଶ୍ୱସ୍ତ ସୂତ୍ରରୁ ଆମେ ଜାଣିବାକୁ ପାଇଛୁ ଯେ ଓସେପା ଡାଇରେକ୍ଟରଙ୍କ ସ୍ୱାକ୍ଷରରେ ଆଗକୁ ମେଲ୍‍ରେ ଆସିବାକୁ ଥିବା ମନୋନୀତ ପୁସ୍ତକଗୁଡିକ କ୍ଷେତ୍ରରେ ଏହି ନିର୍ଦ୍ଧିଷ୍ଟ ସାତ ଆଠଜଣ ବ୍ୟବସାୟୀ ପ୍ରକାଶକ ହିଁ ସର୍ବାଧିକ ଅର୍ଥରାଶିପ୍ରାପ୍ତିର ଆଦେଶପତ୍ର ପାଇବାକୁ ଯାଉଛନ୍ତି !! ଏ ରାଜ୍ୟରେ ସରକାରଙ୍କ ଦ୍ୱାରା ପୁସ୍ତକକ୍ରୟ ଯୋଜନାକୁ ନେଇ ଖୋଦ୍‍ ସେଇ ସରକାରୀ ସଂସ୍ଥା ଓସେପା ନେୃତ୍ୱାଧୀନରେ ଏହିପରି ଏକପ୍ରକାର ଅଘଟଣ ବାରମ୍ବାର କିପରି ଘଟିପାରେ ? ଏହାଦ୍ୱାରା ବହିକିଣା ପ୍ରକ୍ରିୟାରେ ସ୍ୱଛତାର ଘୋର ଅଭାବ ଥିବା ନେଇ ସନ୍ଦେହର ଘନକୁହେଳି ସୃଷ୍ଟି ହୋଇସାରିଲାଣି । ଏଥର ୨୦୦ରୁ ଅଧିକ ପ୍ରକାଶନ ସଂସ୍ଥା ଓସେପା ଟେଂଡର୍‍ ଆହ୍ୱାନକ୍ରମେ ପୁସ୍ତକ ଦାଖଲ୍‍ କରିଥିଲେ ସୁଦ୍ଧା ଗତଥର ଭଳି ଏଥର ମଧ୍ୟ କେବଳ ନିର୍ଦ୍ଦିଷ୍ଟ ସେଇ ୭/୮ଟି ସଂସ୍ଥା ଏପରି ସରକାରୀ ସୁନାକଳସପ୍ରାପ୍ତିର ହକ୍‍ଦାର୍‍ ହୋଇପାରିଥିବାର ଘଟଣା ପଦାରେ ପଡିଲେ ଦୃୃଢ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ରୋକିପାରିବା ଯେ ଆଉ ସମ୍ଭବ ହେବନାହିଁ – ଏହା ନିଃସନ୍ଦେହ । ଏହି ଦୃଷ୍ଟିରୁ ୨୦୦ ପ୍ରକାଶକଙ୍କ ଦ୍ୱାରା ଦାଖଲ ହୋଇଥିବା ପୁସ୍ତକଗୁଡିକର ପୁନର୍ବିଚାର କରାଇ କାହିଁକି ଓ କେଉଁ ଆଧାରରେ କେବଳ ୭/୮ ପ୍ରକାଶକଙ୍କୁ ଜୁରୀକମିଟୀ ଏତେ ଅକଳନୀୟ କୃପାବାରି ବର୍ଷଣ କଲେ, ସେଥିପାଇଁ ମଧ୍ୟ ଏକ ଯାଞ୍ଚକମିଟୀ ବସାଇବା ପାଇଁ ଶ୍ରୀ ନାୟକ ଦାବୀ କରିଛନ୍ତି ।

ମାୟାଧର ନାୟକ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ