ଓ୍ବାର୍ଡସଭ୍ୟା ସ୍ବାମୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ହିଞ୍ଜିଳି ପୁଲିସ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ବ୍କକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଓ୍ବାର୍ଡ ସଭ୍ୟାଙ୍କ ସ୍ବାମୀ ଗୋବିନ୍ଦ ସେଠି (୪୦)। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତଦେହ ନିକଟରୁ ପୁଲିଏ ଏକ ବ୍ୟବହୃତ କୀଟନାଶକ ଓାୖଷଧ ପ୍ୟାକେଟ୍, ଥଣ୍ଡାପାନୀୟ ବୋତଲ, ମୋବାଇଲ ଓ ଏକ ମୋଟର ସାଇକେଲ (ଓଡି୦୭ଟି ୮୯୭୫)କୁ ଜବତ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସି ସନ୍ଦେହ ପ୍ରକାଶ କରିଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ମିଳିଥିବା ସୂଚନା ପ୍ରକାରେ, ଶନିବାର ଅପରାହ୍ନରେ ମୋହନାପଲ୍ଲୀ ଗ୍ରାମର କିଛି ଲୋକ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିବା ବେଳେ ଗ୍ରାମ୍ୟ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଚିହ୍ନଟ କରିଥିଲେ। ଘଟଣା ନେଇ ମୃତକଙ୍କ ପୁଅ କାହ୍ନା ଚରଣ ସେଠି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।