ଓଡ଼ିଆ ନବବର୍ଷରେ ସବୁଜ ସଂକଳ୍ପ
ଗଛରେ ପଣା ଦେଇ ଶୁଭ ମନାସିଲେ ପରିବେଶବିତ୍
ଭୁବନେଶ୍ୱର, ୧୩.୪ : ଆଜି ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି । ଉତ୍କଳୀୟ ନବବର୍ଷ । ଉତ୍କଳର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଉଲ୍ଲାସର ସହ ପଣା ପିଇ ପର୍ବଟିକୁ ପାଳନ କରିଥାନ୍ତି । ପ୍ରତ୍ୟେକ ଓଡ଼ିଆ ପରିବାରରେ ପଣାର ଆସର ଦେଖିବାକୁ ମିଳିଥାଏ । ଏହି ଦିନ ଦେବା, ଦେବୀଙ୍କ ନିକଟରେ ପଣା ଲାଗି କରାଯାଇଥାଏ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତ୍ୟେକ ଓଡ଼ିଆ ପରସ୍ପରକୁ ଓଡ଼ିଆ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପଣା ପିଇ ନୂଆ ବର୍ଷକୁ ସ୍ୱାଗତ କରିଥାନ୍ତି । ସାଧାରଣତଃ ଏହି ପର୍ବଟି ଗ୍ରୀଷ୍ମଋତୁରେ ପଡ଼ିଥାଏ । ପରମ୍ପରା ଅନୁସାରେ ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ଏହି ଦିନରେ ପଣା, ଛତୁଆ ଇତ୍ୟାଦି ଭୋଗ ଲାଗି କରାଯାଇଥାଏ । ତତ୍ସହିତ ବୃନ୍ଦାବତୀ ଅର୍ଥାତ୍ ତୁଳସୀ ଗଛରେ ପଣା, ପାଣି ଦେଇ ପୂଜା ଅର୍ଚ୍ଚନା କରିବାର ବିଧି ରହିଥାଏ । ଓଡ଼ିଆ ଜାତିର ଏହି ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସ୍ମାର୍ଟନଗରୀ ଭୁବନେଶ୍ୱରର ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏହି ଅବସରରେ ସାରା ବିଶ୍ୱକୁ ଏକ ବଳିଷ୍ଠ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ଶ୍ରଦ୍ଧା ଓ ଭକ୍ତିର ସହ ବୃନ୍ଦାବତୀ ଅର୍ଥାତ୍ ତୁଳସୀ ଗଛ ସ୍ଥାପନ କରି ଫୁଲ, ଚନ୍ଦନ, ସିନ୍ଦୁର ଲଗାଇ ବୃନ୍ଦାବତୀଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି । ଜଳଦାନ ଲାଗି ଛୋଟ କଳସରେ ପଣା, ପାଣି ରଖି ଚଉରା ଉପରେ ଝୁଲାଇଛନ୍ତି । ଏ ସମ୍ପର୍କରେ ଶ୍ରୀ ସାହୁ କୁହନ୍ତି ମହାବିଷୁବ ସଂକ୍ରାନ୍ତି ଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ । ଜଳଦାନ ଦ୍ୱାରା ତୁଳସୀ ଗଛ ଗ୍ରୀଷ୍ମ ଦାଉରୁ ସୁରକ୍ଷିତ ରହିବା ସହ ଆଗାମୀ ବର୍ଷା ଋତୁର ସୂଚନା ଦେଇଥାଏ । ଏତଦ୍ସହ ବସୁଧାକୁ ଶୀତଳ ରଖିବା ପାଇଁ ବୃନ୍ଦାବତୀ ନିକଟରେ ପୂଜା କରିବା ସହ ପ୍ରାର୍ଥନା କରାଯାଇଥାଏ । ଏହି ସଂକ୍ରାନ୍ତି ‘ଜଳ ସଂକ୍ରାନ୍ତି’ ଭାବେ ବି ପରିଚିତ । ସମ୍ପ୍ରତି ସାରା ବିଶ୍ୱରେ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂର ପ୍ରଭାବ ବଢିବାରେ ଲାଗିଛି । ଏହି ପବିତ୍ର ଦିନରେ ନିଜ ଚତୁଃପାଶ୍ୱର୍ରେ ଅନ୍ତତଃ ସଭିଏଁ ଗୋଟିଏ ଲେଖାଏଁ ତୁଳସୀ ଗଛ ହେଉ ନଚେତ୍ ଯେକୌଣସି ଗୋଟିଏ ବୃକ୍ଷ ଲଗାଇବା ପାଇଁ ସଭିଏଁ ସଂକଳ୍ପ ନିଅନ୍ତୁ ବୋଲି ଶ୍ରୀ ସାହୁ ଏହି ଅବସରରେ ଆଶାପ୍ରକଟ କରିଛନ୍ତି । ଶ୍ରୀ ସାହୁଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ପ୍ରଶଂସା ବି କରାଯାଇଛି ।