ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟପାଇଁ ଉକ୍ରଳ ସମ୍ମିଳନୀର ଦାବି
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଓଡ଼ିଆ ଭାଷା ସମ୍ବିଧାନ ସ୍ୱୀକୃତି ଓ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାପରେ ଉକ୍ରଳ ସମ୍ମିଳନୀ ସମେତ ଅନ୍ୟ ବହୁ ସାଂସ୍କୃତିକ ଏବଂ ଗଣସଂଗଠନମାନେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟପାଇଁ ଦାବି କରିଆସୁଥିଲେ । ରାଜ୍ୟ ସରକାର ଏ ସଂପର୍କରେ ସମସ୍ତ ବିଭାଗକୁ ମାତୃଭାଷା ଓଡ଼ିଆରେ କାର୍ଯ୍ୟ କରିବାକୁ ଇତିମଧ୍ୟରେ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନମାନଙ୍କର ନାମଫଳକ ଓଡ଼ିଆଭାଷାରେ ଲେଖିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଆ ସମେତ ଅନ୍ୟ ୫ଟି ଆଞ୍ଚଳିକ ଭାଷାରେ ଅଦାଲତ କାର୍ଯ୍ୟପାଇଁ ଗତସପ୍ତାହରେ ଆଦେଶ ଦେଇଥିବା ସଂପର୍କରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଛି । ବୁଧବାର ପୂର୍ବାହ୍ନରେ ଉକ୍ରଳ ସମ୍ମିଳନୀର ବାଲେଶ୍ୱର ଶାଖା ତରଫରୁ ମାନ୍ୟବର ଜିଲ୍ଲାଜଜ୍ଙ୍କ ଜରିଆରେ ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ସମେତ ସମସ୍ତ ନିମ୍ନ ଅଦାଲତରେ ଓଡ଼ିଆ ଭାଷାରେ ରାୟ ଓ ଅଦାଲତ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଉକ୍ରଳ ସମ୍ମିଳନୀର ବାଲେଶ୍ୱର ଶାଖା ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ କର, ସଂପାଦକ ଦୀନବନ୍ଧୁ ଲେଙ୍କାଙ୍କ ସମେତ ବସନ୍ତଲତା ପଟ୍ଟନାୟକ, ଗୋପୀନାଥ ଶତପଥି, ତ୍ରିଦିପ ନାୟକ, ସୀତାରାମ ପ୍ରଧାନ, ଅନୁସୁୟା ନାୟକ, ବେଣୁଧର ପାଳ, ଗୌରାଙ୍ଗ ପାଣିଗ୍ରାହୀ, ସନାତନ ଦାସ, କଲ୍ୟାଣୀ ନନ୍ଦ, ବିଧାନ ଚନ୍ଦ୍ର ରାୟ, ହେମଲତା ଦାସ, ଦେବବ୍ରତ ପାଣିଗ୍ରାହୀ, ଜ୍ଞାନରଞ୍ଜନ ପରିଡ଼ା, କ୍ଷିତୀଶ୍ୱର ଦାସ ଓ ବନମାଳୀ ବେହେରା ପ୍ରମୁଖ ଜିଲ୍ଲା ଜଜ୍ଙ୍କୁ ନିବେଦନପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।